ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର

ଭୁବନେଶ୍ୱର ୦୫।୦୫ : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ୬ ତାରିଖବେଳକୁ ଏହା ଲଘୁଚାପରେ ପରିଣତ ହେବ । ଉତ୍ତର-ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଏହା ଘନୀଭୂତ ହୋଇ ଅବପାତ (ଡିପ୍ରେସନ) ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ପଷ୍ଟ ଚିତ୍ର ଏଯାଏଁ ମିଳିନି । ଏପଟେ ସମ୍ଭାବ୍ୟ ସ୍ଥିତି ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ନେଇ ଏବେଠାରୁ ସ୍ପଷ୍ଟ ଆକଳନ କରିହେବନି । ଲଘୁଚାପ ହେବା ପରେ ଏହାର ଗତିପଥ, ତୀବ୍ରତା ନେଇ ଚିତ୍ର ମିଳିବ । ପ୍ରାକ୍‌ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ହୋଇଥାଏ । ମାତ୍ର ଏହା ଓଡ଼ିଶା ମୁହାଁ ହେବ କି ନାହିଁ, ଏବେ କହି ହେବନାହିଁ ।ତେବେ ବାତ୍ୟା ନେଇ ଏବେ ସ୍ପଷ୍ଟ ଚିତ୍ର ମିଳିନଥିଲେ ମଧ୍ୟ ଓଡ଼ିଶା ସରକାର ପୂରା ପ୍ରସ୍ତୁତ ଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ବାତ୍ୟା ମୁକାବିଲା ପାଇଁ ସତର୍କ ରୁହନ୍ତୁ, ଆତଙ୍କିତ ହୁଅନ୍ତୁ ନାହିଁ । ସରକାର ସବୁବେଳେ ଆପଣଙ୍କ ସହିତ ଅଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଯଥା ଅତ୍ୟାବଶ୍ୟକ ସାମଗ୍ରୀ ବହୁ ମାତ୍ରାରେ ମହଜୁଦ ରଖନ୍ତୁ ନାହିଁ । ଏହାଦ୍ୱାରା ବଜାରରେ କୃତ୍ରିମ ଅଭାବ ଦେଖାଦେଇପାରେ । ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦରବୃଦ୍ଧି କରିପାରନ୍ତି। କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ କଡ଼ା ନଜର ରଖାଯାଉଛି । ଆବଶ୍ୟକସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।ସମ୍ଭାବ୍ୟ ବାତ୍ୟା ‘ଆସାନି’ ନେଇ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଲଘୁଚାପ ହେବା ପରେ ୮ ତାରିଖକୁ ଏହା ବାତ୍ୟା ରୂପ ନେବ । ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଆଡ଼କୁ ମୁହାଁଇବ । ହେଲେ ୧୦ ତାରିଖ ପରେ ଦିଗ ପରିବର୍ତ୍ତନ କରି ପଶ୍ଚିମବଙ୍ଗ ବା ସଂଲଗ୍ନ ବାଂଲାଦେଶ ଆଡ଼କୁ ଗତି କରିପାରେ । ସମ୍ଭବତଃ ୧୩ ତାରିଖରେ ପଶ୍ଚିମବଙ୍ଗ ବା ସଂଲଗ୍ନ ବାଂଲାଦେଶର ସାଗର ଦ୍ୱୀପ ଛୁଇଁପାରେ । ମାତ୍ର ସେତେବେଳକୁ ବାତ୍ୟା ଦୁର୍ବଳ ହୋଇଯିବା ସମ୍ଭାବନା ଅଛି । ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ହେବ । ବାଲେଶ୍ୱର ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ଓ ପବନ ହୋଇପାରେ । ଲଘୁଚାପ ସୃଷ୍ଟି ହେବା ପରେ ଗତିପଥ ଓ ତୀବ୍ରତା ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

Leave A Reply

Your email address will not be published.