ମୟୂରଭଞ୍ଜରେ ୨୪ ହଜାର ଶ୍ରମିକଙ୍କ ପତ୍ତା ମିଳୁନି: ଶ୍ରମ ବିଭାଗରେ ବି ବଡ଼ ଦୁର୍ନୀତି!

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ୧ ଲକ୍ଷ ୨୭ ହଜାର ୬୮୩ ଜଣ ଲୋକଙ୍କ ନାଁରେ ରହିଛି ଶ୍ରମିକ କାର୍ଡ। ଶ୍ରମକାର୍ଡ ପାଇଁ ୧ ହଜାରୁ ଅଧିକ ଆବେଦନପତ୍ର ବି ଅନୁମୋଦନ ଅପେକ୍ଷାରେ ରହିଛି। ସବୁଠୁ ବଡ଼କଥା ହେଲା, ପଞ୍ଜିକୃତ ଶ୍ରମିକମାନଙ୍କ ମଧ୍ୟରୁ ୨୪ ହଜାର ଶ୍ରମିକଙ୍କର ପତ୍ତା ମିଳୁନି। ତେବେ ଏହି ଶ୍ରମିକମାନେ ଅସଲି ନା ନକଲି, ସେ ନେଇ ଖୋଦ୍‌ ଶ୍ରମ ବିଭାଗ ବି ଦ୍ବନ୍ଦ୍ବରେ ପଡ଼ିଛି। କାରଣ ସରକାରଙ୍କ କରୋନା ସହାୟତା ରାଶି ନେବାପାଇଁ ଏହି ୨୪ ହଜାର ଶ୍ରମିକମାନେ ଆସୁନାହାନ୍ତି କି ଆବେଦନ ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି। ଶ୍ରମ ବିଭାଗର କହିବା ଅନୁଯାୟୀ, ଆମେ ବ‌ର୍ଷେ ହେଲା ସେମାନଙ୍କର ସନ୍ଧାନ କରୁଛୁ। ହେଲେ କାହାକୁ ପାଉନୁ। ଫଳରେ ସେମାନଙ୍କ ପାଇଁ ଆସିଥିବା ୪ କୋଟି ୮୦ ଲକ୍ଷ କରୋନା ସହାୟତା ରାଶି ଫେରିଯିବାକୁ ବସିଛି। ତେବେ ଶ୍ରମ ବିଭାଗର ସ୍ବୀକାରୋକ୍ତି ଏକ ବଡ଼ ଦୁର୍ନୀତିର ଗୁମର ଖୋଲିଦେଇଛି। ପ୍ରକୃତରେ ସହାୟତା ଟଙ୍କା ନେବାକୁ ଆସୁନଥିବା ଲୋକେ ଶ୍ରମିକ ନା ସେମାନଙ୍କ ନାଁରେ ଜାଲ୍‌ କାର୍ଡ ତିଆରି ହୋଇଥିଲା; ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। କରୋନା ସହାୟତା ବାବଦରେ ପଞ୍ଜିକୃତ ଶ୍ରମିକମାନଙ୍କୁ ମୁଣ୍ଡପିଛା ଦେଢ଼ ହଜାର ଟଙ୍କା ଲେଖା ଦେବାକୁ ସରକାର ଘୋଷଣା କରିଥିଲେ। ଗ୍ରାମାଞ୍ଚଳରେ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସହରାଞ୍ଚଳରେ ପୌର କର୍ମଚାରୀ ଏହି ସହାୟତା ରାଶି ବାଣ୍ଟିଥିଲେ। ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୭୮ ହଜାର ଶ୍ରମିକଙ୍କ ପାଇଁ ୧୧ କୋଟି ୭୦ ଲକ୍ଷ ଟଙ୍କା ଆସିଥିବାବେଳେ ସେଥିମଧ୍ୟରୁ ୭୦ ହଜାର ଶ୍ରମିକଙ୍କୁ ୧୦ କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଥିଲା। କରୋନା କଟକଣା ପାଇଁ ପ୍ରଥମେ ହିତାଧିକାରୀଙ୍କ ଘରକୁ ଯାଇ ଟଙ୍କା ଦିଆଯାଇଥିଲା। ପରେ ଏହି ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ ପାଇଁ ବ୍ୟାଙ୍କ ଖାତାରେ ସହାୟତା ରାଶି ଜମା କରାଯାଇଥିଲା। ଏହାରି ମଧ୍ୟରେ ୮ ହଜାର ଶ୍ରମିକଙ୍କ ଟଙ୍କା ପଡ଼ି ରହିଥିଲା। ଆଜି ସୁଦ୍ଧା ସେମାନଙ୍କ ପାଇଁ ଆସିଥିବା ୧ କୋଟି ୨୦ ଲକ୍ଷ ଟଙ୍କା ବଣ୍ଟା ହୋଇପାରିନି କି ସେମାନଙ୍କର ଖୋଜଖବର ମିଳୁନି।

Leave A Reply

Your email address will not be published.