ଦିଲ୍ଲୀ ଶିକ୍ଷା ବ୍ୟବସ୍ଥାର ରିପୋର୍ଟିଂକୁ ବିଜେପି ପେଡ୍ ପ୍ରମୋସନ କହିବା ପରେ NYTର ଜବାବ: ଆମ ରିପୋର୍ଟ ସମ୍ପୂର୍ଣ୍ଣ ନିରପେକ୍ଷ, ଆମେ ଗ୍ରାଉଣ୍ଡରୁ ରିପୋର୍ଟ କରୁ

,ନୂଆଦିଲ୍ଲୀ: ଦିଲ୍ଲୀ ଶିକ୍ଷା ମଡେଲ୍ ବିଷୟରେ ବିଦେଶୀ ଗଣମାଧ୍ୟମକୁ ପଇସା ଦେଇ କେଜରିୱାଲଙ୍କ ସରକାର ବିଜ୍ଞାପନ ବାହାର କରିଥିବା ବିଜେପିର ଅଭିଯୋଗ ଆଣିଥିଲା। ଏବେ ଏହା ଉପରେ ପ୍ରତିକ୍ରିୟା ରଖି ବିଜେପିର ମୁହଁ ବନ୍ଦ କରି ଦେଇଛି ଆମେରିକାର ପ୍ରତିଷ୍ଠିତ ଖବର କାଗଜ ନ୍ୟୁୟର୍କ ଟାଇମ୍ସ ବା NYT। ବିଜେପି ଅଭିଯୋଗକୁ ଖଣ୍ଡନ କରି NYT କହିଛି ଆମ ରିପୋର୍ଟ ସମ୍ପୂର୍ଣ୍ଣ ନିରପେକ୍ଷ। ଗ୍ରାଉଣ୍ଡ ରିପୋର୍ଟକୁ ନେଇ ଆମେ ଖବର କରୁ। ଦିଲ୍ଲୀରେ ଅରବିନ୍ଦ କେଜରିୱାଲ୍‌ଙ୍କର ଶିକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରି ଦୁଇ ପ୍ରତିଷ୍ଠିତ ବିଦେଶୀ ଖବର କାଗଜ ନ୍ୟୁୟର୍କ ଟାଇମ୍ସ ଓ ଖଲିଜ ଟାଇମ୍ସ ଖବର ପ୍ରକାଶ କରିଥିଲେ। ଯାହାକୁ ନେଇ ଖୁସୀ ବ୍ୟକ୍ତ କରିବା ସହ ଲୋକମାନଙ୍କ ସହିତ ଖୁସି ଶେୟାର୍‌ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍।ହେଲେ ବିଜେପି ଏକଥାକୁ ସହଜରେ ହଜମ କରି ନପାରି ଆପ୍‌କୁ ସମାଲୋଚନା କରିଥିଲା। ଆପ୍ ପଇସା ଦେଇ ଖବରକାଗଜରେ ବିଜ୍ଞାପନ ଛପାଇଛି ବୋଲି ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ ଓ ଦିଲ୍ଲୀ ଆଇଟି ସେଲ୍‌ର ପୁନୀତ ଅଗରୱାଲ ଅଭିଯୋଗ କରିଥିଲେ। କେବଳ ଏହି ଦୁଇ ନେତା ନୁହଁନ୍ତି ବିଜେପିର ଅନ୍ୟ କିଛି ନେତା ମଧ୍ୟ ଘଟଣାକୁ ନେଇ କେଜରିୱାଲ୍ ସରକାରଙ୍କୁ ସମାଲୋଚନା କରିଥିଲେ। ଏହାପରେ ଭାରତୀୟ ଗଣମାଧ୍ୟମରେ ଏହି ଖବର ଚର୍ଚ୍ଚାରେ ରହିଥିଲା। ତେବେ ଚାରିଆଡ଼ୁ ସମାଲୋଚନା ପରେ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଆମେରିକା ଗଣମାଧ୍ୟମ ସଂସ୍ଥା ନ୍ୟୁ ୟର୍କ ଟାଇମ୍ସ। ବିଜେପି ଅଭିଯୋଗକୁ ଖଣ୍ଡନ କରି ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ NYT କହିଛି “ ଦିଲ୍ଲୀ ଶିକ୍ଷା ବ୍ୟବସ୍ଥା ଉପରେ ଆମର ରିପୋର୍ଟ ସମ୍ପୂର୍ଣ୍ଣ ନିରପେକ୍ଷ। ଗ୍ରାଉଣ୍ଡ ରିପୋର୍ଟିଂରେ ଏହି ଷ୍ଟୋରି କରାଯାଇଛି। ଶିକ୍ଷା ବ୍ୟବସ୍ଥା ଏମିତି ଏକ ପ୍ରସଙ୍ଗ ଯାହାକୁ NYT ବର୍ଷ ବର୍ଷ ଧରି ଗୁରୁତ୍ୱ ଦେଇଆସିଛି। ନ୍ୟୁ ୟର୍କ ଟାଇମ୍ସର ସାମ୍ବାଦିକତା ସବୁବେଳେ ନିରପେକ୍ଷ। ରାଜନୈତିକ ଓ ବିଜ୍ଞାପନ ଚାପମୁକ୍ତ। ତେବେ ଅନ୍ୟ ଗଣମାଧ୍ୟମ ଆମ ଖବରକୁ ଲାଇସେନ୍ସ ନେଇ ପ୍ରକାଶ କରୁଛନ୍ତି। ”

Leave A Reply

Your email address will not be published.