ଦୁଇଦିନିଆ ଓଡିଶାରେ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର ୧୦।୧୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗସ୍ତରେ ଆସି ଆଜି ଭୁବନେଶ୍ବରରେ ପହଞ୍ଚିବେ। ରାଷ୍ଟ୍ରପତି ହେବାପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଆଜି ସକାଳ ସାଢ଼େ ୯ଟା ସମୟରେ ରାଷ୍ଟ୍ରପତି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅର୍ନର ପ୍ରଦାନ କରାଯିବ। ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ପୁରୀ ଯିବେ। ସାଢ଼େ ୧୦ଟାରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ କାରକେଡ୍ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଯିବେ ରାଷ୍ଟ୍ରପତି। ଶ୍ରୀମନ୍ଦିରରେ ପାଖାପାଖି ଏକ ଘଣ୍ଟା ରହିବେ ଦ୍ରୌପଦୀ ମୁର୍ମୁ। ମହାପ୍ରଭୁଙ୍କ ଦର୍ଶନ ସାରି ସାଢ଼େ ୧୧ଟାରେ ରାଷ୍ଟ୍ରପତି ସିଂହଦ୍ବାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଏବଂ ସେଠାରୁ ସିଧା ରାଜଭବନ ବାହାରିବେ। ୧୨ଟାରେ ରାଜଭବନରେ ପହଞ୍ଚି ସେଠାରେ ସେ ମହାପ୍ରସାଦ ସେବନ କରିବେ ରାଷ୍ଟ୍ରପତି। ଏହାପରେ ଅପରାହ୍ନ ୨ଟା ୧୦ରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିବେ। ଦିନ ୨ଟା ୫୦ରେ ଭୁବନେଶ୍ବରରେ ପହଞ୍ଚି ୩ଟା ୧୫ରୁ ୪ଟା୧୫ଟା ମଧ୍ୟରେ ବିଭିନ୍ନ ଛକରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ରାଜଧାନୀର ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଥିବା ୮ଜଣ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି।

Leave A Reply

Your email address will not be published.