ସମସ୍ତେ ଶୋଇବା ପରେ ଆସିବ, ଥରେ ନୁହେଁ ଅନେକ ଥର ଦୁଷ୍କର୍ମ, ଚାର୍ଜସିଟରେ ଲିଙ୍ଗାୟତ ସନ୍ଥଙ୍କ ବିରୋଧରେ ଚାଞ୍ଚଲ୍ୟକର ଖୁଲାସା

ବେଙ୍ଗାଲୁରୁ: ନାବାଳିକାଙ୍କ ସହ ଯୌନ ଶୋଷଣ ମାମଲାରେ ଜେଲରେ ଥିବା ଲିଙ୍ଗାୟତ ସନ୍ଥ ଶିବମୂର୍ତ୍ତି ମୁରୁଧ ଶରଣାରୁଙ୍କ ବିରୋଧରେ କର୍ଣ୍ଣାଟକ ପୋଲିସ୍ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ଲିଙ୍ଗାୟତ ସନ୍ଥଙ୍କ ବିରୋଧରେ ଅନେକ ଚାଞ୍ଚଲ୍ୟକର ଖୁଲାସା କରାଯାଇଛି। ଚାର୍ଜସିଟରେ ଅଭିଯୋଗ କରାଯାଇଛି ଯେ, ସନ୍ଥ ୨୦୧୩ରୁ ୨୦୧୫ ମଧ୍ୟରେ ମଧ୍ୟ ରାତ୍ରିରେ ୧୩ ବର୍ଷୀୟ ନାବାଳିକାଙ୍କ ସହ ଅନେକ ଥର ଦୁଷ୍କର୍ମ କରିଥିଲା। ଯେତେବେଳେ ସମସ୍ତେ ଶୋଇ ପଡିବେ ସେହି ସମୟରେ ପଛ ଦ୍ଵାର ଦେଇ ସନ୍ଥଙ୍କ କୋଠରୀକୁ ଆସିବା ଏବଂ ସକାଳେ ଲୋକେ ଉଠିବା ପୂର୍ବରୁ ବାହାରି ଯିବାକୁ ନାବାଳିକାଙ୍କୁ ଆଦେଶ ଦିଆଯାଇଥିଲା। ଚାର୍ଜସିଟରେ ଉଲ୍ଲେଖ ରହିଛି ଯେ, ୬୪ ବର୍ଷୀୟ ଲିଙ୍ଗାୟତ ସନ୍ଥ ଶିବମୂର୍ତ୍ତି ନାବାଳିକାଙ୍କୁ ସମସ୍ତେ ଶୋଇବା ପରେ କୋଠରୀକୁ ଡକାଉଥିଲା। ଦୁଷ୍କର୍ମ ସମୟରେ ନାବାଳିକାଙ୍କୁ ପଚାରୁ ବୁଝୁଥିଲା ଯେ, ଆସିବା ବେଳେ ତୁମକୁ କେହି ଦେଖି ନାହାନ୍ତି ତ। ଘଟଣା ସମୟରେ ନାବାଳିକାଙ୍କ ବୟସ ୧୩ ବର୍ଷ ହୋଇଥିଲା। ଜଗଦଗୁରୁ ମୁରୁଗରାଜେନ୍ଦ୍ର ବିଦ୍ୟାପୀଠ ମଠ ଦ୍ଵାରା ପରିଚାଳିତ ହାଇସ୍କୁଲରେ ପଢୁଥିବା ଅତି କମରେ ଦୁଇ ନାବାଳିକାଙ୍କ ସହ ଯୌନ ଉତ୍ପୀଡନ ଅଭିଯୋଗରେ ଶରଣାରୁ ଚିତ୍ରଦୁର୍ଗ ଜେଲରେ ବନ୍ଦୀ ଅଛନ୍ତି। ତାଙ୍କୁ ସେପ୍ଟେମ୍ବର ୧ରେ ପୋକ୍ସୋ ଆଇନ ଆଧାରରେ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଅଗଷ୍ଟ ୨୭ରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା। ଅକ୍ଟୋବର ୨୭ରେ ତଦନ୍ତକାରୀ ଦଳ ଅଦାଲତରେ ୬୯୪ ପୃଷ୍ଠାର ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲେ।

Leave A Reply

Your email address will not be published.