ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ଘୋଡ ଲାଗି’ ବେଶ

ପୁରୀ ୨୪/୧୧: ମାର୍ଗଶୀର ମାସରୁ ଥଣ୍ଡା ବଢ଼ିଯାଏ । ଶୀତ ପ୍ରକୋପରୁ ବଞ୍ଚିବାକୁ ଲୋକେ ଶୀତବସ୍ତ୍ର ପିନ୍ଧନ୍ତି । ବଡ଼ଦେଉଳରେ ଚାଲିଛି ଶ୍ରୀଜଗନ୍ନାଥଙ୍କ ମାନବୀୟ ଳୀଳା । ଠାକୁରଙ୍କୁ ମଧ୍ୟ ରହିଛି ଶୀତ ଭୟ । ପ୍ରଚଣ୍ଡ ଥଣ୍ଡାରୁ ବର୍ତ୍ତିବାକୁ ଶ୍ରୀବିଗ୍ରହ ଶୀତବସ୍ତ୍ର ପରିଧାନ କରନ୍ତି । ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ବେଶ । ଶୀତ ସହ ଲଢ଼ିବାକୁ ଠାକୁରଙ୍କ ଏହା ହେଉଛି ସ୍ୱତନ୍ତ୍ର ପୋଷାକ । ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ ପର୍ବ ପାଳନ ଅବସରରେ ରତ୍ନ ସିଂହାସନରେ ଦାରୁଦିଅଁ ଘୋଡ଼ ଲାଗି ବେଶରେ ବିଭୂଷିତ ହୋଇଥାନ୍ତି । ମାର୍ଗଶୀର ଶୁକ୍ଳ ଷଷ୍ଠୀରୁ ମାଘ ସପ୍ତମୀ ଯାଏଁ ଶୀତ ୪ ମାସ ମହାପ୍ରଭୁଙ୍କ ଏହି ଘୋଡ଼ ଲାଗି ନୀତି ହୁଏ । ୫ମୀ ଦିନ ରାତିରେ ଚନ୍ଦନଲାଗି ପରେ ୩ ଠାକୁରଙ୍କ ଘୋଡ଼ ୨୧ଟି ସହିତ ବିମଳା, ସରସ୍ୱତୀ, ମହାଲକ୍ଷ୍ମୀ, ମଦନମୋହନଙ୍କ ଘୋଡ଼ ଅଧିବାସ ହୁଏ । ଷଷ୍ଠୀରେ ଠାକୁରଙ୍କୁ ୭ ମୂର୍ତ୍ତି ଲେଖାଏଁ ଘୋଡ଼ ଲାଗି କରି ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯାଏ । ଖଣ୍ଡୁଆ, ଭେଲ୍‌ଭେଟର ଘୋଡ଼ ବସ୍ତ୍ର, ଫୁଟା, ମଫଲର୍‌ ଓ ଟୋପର ଆଦି ଠାକୁରେ ଲାଗି ହୁଅନ୍ତି । ପରମ୍ପରା ଅନୁଯାୟୀ ସପ୍ତାହର ବିଭିନ୍ନ ଦିନରେ ଭିନ୍ନଭିନ୍ନ ରଙ୍ଗର ବସ୍ତ୍ର ଶ୍ରୀବିଗ୍ରହଙ୍କୁ ଲାଗି କରାଯାଏ । ସୋମବାର କଳାଛିଟା ମିଶା ଶୁକ୍ଳ ରଙ୍ଗ ବେଶ ପରିଧାନ କରନ୍ତି । ମଙ୍ଗଳବାର ବାର ପଟିଆ(ପଞ୍ଚ ରଙ୍ଗ ମିଶା) ଓ ବୁଧବାର ନୀଳରଙ୍ଗର ବସ୍ତ୍ର, ଗୁରୁବାର ହଳଦିଆ ରଙ୍ଗର ବସ୍ତ୍ର, ଶୁକ୍ରବାର ଶୁକ୍ଳ ରଙ୍ଗ, ଶନିବାର କଳା, ରବିବାର ଲାଲ ବସ୍ତ୍ର ପରିଧାନ କରିଥାନ୍ତି । ଜ୍ୟୋତିଷ ତଥା ଶାସ୍ତ୍ରଜ୍ଞମାନେ ଘୋଡ଼ର ରଙ୍ଗକୁ ଗ୍ରହର ପ୍ରତୀକ ବୋଲି କହିଥାନ୍ତି ।

Leave A Reply

Your email address will not be published.