ଫାଇନାଲରେ ଭାରତ

ମୁମ୍ବଇ : ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୧୯ ବିଶ୍ବକପ ସେମିଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ଭାରତ। ବୁଧବାର ଚଳିତ ବିଶ୍ବକପର ପ୍ରଥମ ସେମିଫାଇନାଲରେ ଭାରତ ୭୦ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚତୁର୍ଥ ଥର ଲାଗି ଫାଇନାଲରେ ପ୍ରବେଶ କରିଛି। ରବିବାର ଭାରତ ଅନୁଷ୍ଠିତ ହେବାକୁ ଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲର ବିଜେତାକୁ ଭେଟିବ। ୱାଙ୍ଖଡେ ଷ୍ଟାଡ଼ିୟମରେ ବିରାଟ କୋହଲି ଓ ଶ୍ରେୟାସ ଆୟରଙ୍କ ଶତକ ପରେ ମହମ୍ମଦ ସାମିଙ୍କ ୭ଟି ୱି‌େ‌କଟ ବଳରେ ଭାରତ କ୍ରମାଗତ ଦଶମ ବିଜୟ ସହ ପ୍ରଥମ ଦଳ ଭାବେ ଫାଇନାଲରେ ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର କ୍ରମାଗତ ତୃତୀୟ ଥର ଫାଇନାଲ ଖେଳିବା ଆଶା ଧୁଳିସାତ୍‌ ହୋଇଯାଇଛି। ପୂର୍ବରୁ ଭାରତ ୧୯୮୩, ୨୦୦୩ ଓ ୨୦୧୧ରେ ଫାଇନାଲ ଖେଳିଥିଲା। ଉକ୍ତ ମ୍ୟାଚରେ ବିରାଟ କୋହଲି ବିଶ୍ବର ପ୍ରଥମ ବ୍ୟାଟ୍‌ସମ୍ୟାନ ଭାବେ ଦିନିକିଆରେ ୫୦ତମ ଶତକ ହାସଲ କରିବା ସହିତ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିଛନ୍ତି। ସେହିପରି ସାମି ପ୍ରଥମ ଭାରତୀୟ ଭାବେ ବିଶ୍ବକପରେ ୭ଟି ୱିକେଟ ନେଇ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି।
ବିରାଟ କୋହଲିଙ୍କ ୧୧୭, ଶ୍ରେୟାସ ଆୟରଙ୍କ ୧୦୫ ଓ ଶୁବମାନ ଗିଲଙ୍କ ୮୦ ରନ ବଳରେ ଭାରତ ୩୯୭ ରନ କରିଥିଲା। ଜବାବରେ ଡ୍ୟାରେଲ ମିଚେଲଙ୍କ ୧୩୪ରନର ଇନିଂସ ସତ୍ତ୍ବେ ନ୍ୟୁଜିଲାଣ୍ଡ ୩୨୭ ରନ​‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ମହମ୍ମଦ ସାମି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ୩୯୮ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ନ୍ୟୁଜିଲାଣ୍ଡ ୩୯ ରନରେ ଦୁଇ ଓପନର ରାଚିନ ରବୀନ୍ଦ୍ର (୧୩) ଓ ଡିଭନ୍‌ କନ୍‌ୱେ(୧୩)ଙ୍କ ୱିକେଟ ହରାଇଥିଲା। ୩ୟ ୱିକେଟରେ କେନ୍‌ ୱିଲିୟମସନ ଓ ଡ୍ୟାରେଲ ମିଚେଲ ୧୭୯ରନ ସଂଗ୍ରହ କରି ସ୍କୋରକୁ ୨୨୦ରନରେ ପହଞ୍ଚାଇଥିଲେ। ୩୩ତମ ଓଭରରେ ସାମି ଉକ୍ତ ଯୋଡ଼ିକୁ ଭାଙ୍ଗିବା ସହିତ ଦୁଇଟି ୱିକେଟ ନେଇ ଭାରତକୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇଥିଲେ। ୱିଲିୟମସନ ୬୯ ଓ ଟମ୍‌ ଲଥାମ ବିନା ରନରେ ଆଉଟ୍‌ ହୋଇଥିଲେ। ପଞ୍ଚମ ୱିକେଟରେ ଗ୍ଲେନ ଫିଲିପ୍ସ ଓ ମିଚେଲ ୭୫ରନ ସଂଗ୍ରହ କରିଥିଲେ। ସ୍କୋର ୨୯୫ରନ ଥିବାବେଳେ ଫିଲିପ୍ସ ୪୧ରନ କରି ଆଉଟ୍‌ ହୋଇଥିଲେ। ମିଚେଲ ୧୩୪ରନ କରି ଆଉଟ୍‌ ହେବା ପରେ ନ୍ୟୁଜିଲାଣ୍ଡର ଆଶା ​‌େ​‌ଶଷ ହୋଇଯାଇଥିଲା। ଦଳ ଶେଷରେ ୪୮.୫ ଓଭରରେ ୩୨୭ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ୭ ଟି, ଯଶପ୍ରୀତ ବୁମ୍‌ରା , କୁଳଦୀପ୍‌ ଯାଦବ ଓ ମହମ୍ମଦ ସିରାଜ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଭାରତ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମା ଟ୍ରେଣ୍ଟ ବୋଲ୍ଟଙ୍କ ପ୍ରଥମ ଓଭରରୁ ୧୦ରନ ସଂଗ୍ରହ କରି ଭଲ ଆରମ୍ଭ କରିଥିଲେ। ଭାରତ ୫ ଓଭରରୁ ୫୦ରନ ସଂଗ୍ରହ କରିଥିଲା। ଦ୍ରୁତ ଗତିରେ ରନ୍‌ କରିବାକୁ ଯାଇ ରୋହିତ ୱିକେଟ ହରାଇଥିଲେ। ୮.୨ ଓଭରରେ ସ୍କୋର ୭୧ରନ ଥିବାବେଳେ ରୋହିତ ୨୯ଟି ବଲରୁ ୪ଟି ଚୌକା ଓ ୪ଟି ଛକା ସହ ୪୭ରନ କରି ଆଉଟ୍‌ ହୋଇଥିଲେ। ଭାରତ ୧୨.୨ ଓଭରରୁ ୧୦୦ରନ ପୂରଣ କରିଥିଲା। ଗିଲ୍‌ ୪୧ଟି ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଦ୍ବିତୀୟ ୱିକେଟରେ ଗିଲ୍‌ ଓ ବିରାଟ କୋହଲି ୮୫ରନ ସଂଗ୍ରହ କରିବ​‌ା ସହିତ ସ୍କୋରକୁ ୧୬୪ରନରେ ପହଞ୍ଚାଇଥିଲେ। ୨୩ତମ ଓଭରରେ ଗିଲ୍‌ଙ୍କ ମାଂସପେସୀ ଟାଣି ହୋଇଯିବାରୁ ସେ ରିଟାଡହର୍ଟ ହୋଇଥିଲେ। ଗିଲ୍‌ ୬୫ଟି ବଲରୁ ୮ଟି ଚୌକା ଓ ୩ଟି ଛକା ସହ ୭୯ରନ କରି ରିଟାର୍ଡହଟ୍‌ ହୋଇଥିଲେ। ଗିଲ୍‌ଙ୍କ ସ୍ଥାନରେ ଶ୍ରେୟାସ ଆୟର ବ୍ୟାଟିଂ କରିବାକୁ ଆସିଥିଲେ। ବିରାଟ ଓ ଆୟର ରନ ଗତିକୁ ବଢାଇବା ସହିତ କୌଣସି କ୍ଷତି ଘଟାଇବାକୁ ଦେଇନଥିଲେ। ବିରାଟ ଚମତ୍କାର ବ୍ୟାଟିଂ କରି ଶତକ ହାସଲ କରିଥିଲେ। ଭାରତ ୨୮.୧ ଓଭରରୁ ୨୦୦ରନ ପୂରଣ କରିଥିଲେ। ଉଭୟେ ୧୬୩ରନ ସଂଗ୍ରହ କରିଥିଲେ। ସ୍କୋର ୩୨୭ରନ ଥିବାବେଳେ କୋହଲି ୧୧୩ଟି ବଲରୁ ୯ଟି ଚୌକା ଓ ୨ଟି ଛକା ସହ ୧୧୭ରନ କରି ଆଉଟ୍‌ ହୋଇଥିଲେ। ୩ୟ ୱିକେଟରେ ଲୋକେଶ ରାହୁଲଙ୍କ ସହ ଆୟର ୫୪ରନ ସଂଗ୍ରହ କରିଥିଲେ। ସ୍କୋର ୩୮୧ରନ ଥିବାବେଳେ ଆୟର ୭୦ଟି ବଲରୁ ୪ଟି ଚୌକା ଓ ୮ଟି ଛକା ସହ ୧୦୫ରନ କରି ଆଉଟ୍‌ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ମାତ୍ର ୧ରନ କରି ଆଉଟ୍‌ ହୋଇଥିଲେ। ସୂର୍ଯ୍ୟକୁମାରଙ୍କ ୱିକେଟ ପରେ ରିଟାଡହର୍ଟ ହୋଇଥିବା ଗିଲ୍‌ ପୂନର୍ବାର ବ୍ୟାଟିଂ କରିବାକୁ ଆସିଥିଲେ। ରାହୁଲଙ୍କ ୩୯ ଓ ଗିଲ୍‌ଙ୍କ ଅପରାଜିତ ୮୦ରନ ବଳରେ ଭାରତ ୪ ୱିକେଟ ବିନିମୟରେ ୩୯୭ରନ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍‌ ସାଉଦି ୩ଟି ଓ ଟ୍ରେଣ୍ଟ ବୋଲ୍ଖ ଗୋଟିଏ ୱିକେଟ ନେଇଥିଲେ।

Leave A Reply

Your email address will not be published.