ରାଜ୍ୟରେ କରୋନା ନେଲା ୭ ଜୀବନ

ଭୁୁବନେଶ୍ୱର, ସେପ୍ଟେମ୍ବର ୩ : ରାଜ୍ୟରେ ଗତ କିଛି ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାବ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୨ ଜଣ ରହିଛନ୍ତି । ସେହିପରି ବାଲେଶ୍ୱର, କଟକ, ଢେଙ୍କାନାଳ, କେନ୍ଦ୍ରାପଡା ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି । ତେବେ ବାଲେଶ୍ୱରର ମୃତକ ଜଣକ ହେଲେ ୬ ବର୍ଷର ଶିଶୁ କନ୍ୟା । ସୂଚନା ଅନୁସାରେ ଗୁରୁବାର ସୁଦ୍ଧା ରାଜ୍ୟରେ ୧୦୦୯୨୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୨୪୧ ଜଣ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୯୯୩୯୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.