ସଂସଦ ଭବନ ଆକ୍ରମଣ ଘଟଣାକୁ ପୂରିଲା ୨୦ ବର୍ଷ

ନୂଆଦିଲ୍ଲୀ, ଡିସେମ୍ବର ୧୩ : ୨୦ ବର୍ଷ ପୂର୍ବରୁ ଆଜିର ଦିନରେ ଅର୍ଥାତ ୨୦୦୧ ଡିସେମ୍ବର ୧୩ ତାରିଖରେ ପାକିସ୍ତାନରୁ ଆସିଥିବା ୫ ଜଣ ଆତଙ୍କବାଦୀ ଦିଲ୍ଲୀରେ ଗଣତନ୍ତ୍ରର ପବିତ୍ର ସ୍ଥାନ ‘ସଂସଦ ଭବନ’ ଉପରେ ଲଗାତାର ଗୁଳି କରିଥିଲେ। ସେଦିନର ସେହି ଲୋମହର୍ଷଣକାରୀ ଘଟଣାକୁ ଆଜି ୨୦ ବର୍ଷ ପୂରିଛି। ସଂସଦ ଭବନ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ୯ ଜଣ ଯବାନ ସହିଦ ହୋଇଥିଲେ। ଆତଙ୍କବାଦୀମାନେ ସଂସଦ ଭବନରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏଠାରେ ମୁତୟନ ସୁରକ୍ଷା କର୍ମୀମାନେ ଏହାକୁ ବିଫଳ କରିଥିଲେ। ସେହି ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିଲା ଏବଂ ଘଟଣା ସମୟରେ ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିଲା। ଏକ ଧଳା କାରରେ ସଶସ୍ତ୍ର ଆତଙ୍କବାଦୀମାନେ ସଂସଦ ଭବନକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସଂସଦ ଭବନ ଭିତର ଗେଟ ସଂପର୍କରେ ଜାଣି ନପାରିବାରୁ ଧଳା କାରରେ ବସିଥିବା ଆତଙ୍କବାଦୀମାନେ ଉପରାଷ୍ଟ୍ରପତିଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ। ଫଳରେ ସୁରକ୍ଷା କର୍ମୀଙ୍କୁ ସନ୍ଦେହ ହୋଇଥିଲା। ସୁରକ୍ଷାକର୍ମୀମାନେ ବୁଝିବା ପୂର୍ବରୁ କାର ଭିତରୁ ବାହାରି ଆସି ଆତଙ୍କବାଦୀମାନେ ଗୁଳି କରିଥିଲେ। ଏହା ପରେ ସଂସଦ ଭବନର ସୁରକ୍ଷାରେ ଥିବା ସିଆରପିଏଫ୍‌ ଯବାନମାନେ ମଧ୍ୟ ଗୁଳି କରିଥିଲେ। ସେହି ସମୟରେ ଅନେକ ସାଂସଦ ଓ ମନ୍ତ୍ରୀ ଉପସ୍ଥିତ ଥିଲେ। ତତ୍କାଳୀନ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ମଧ୍ୟ ସଂସଦ ପରିସରରେ ଥିଲେ। ତାଙ୍କୁ ସୁରକ୍ଷା ଅଧିକାରୀମାନେ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ। ଆତଙ୍କବାଦୀମାନେ ସଂସଦ ଭବନରେ ପ୍ରବେଶ କରି ନେତା ଓ ମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ଚାହୁଁଥିଲେ। ଆତଙ୍କବାଦୀଙ୍କ ସହିତ ଲଢ଼େଇ କରି ୯ ଜଣ ଯବାନ ସହିଦ ହୋଇଥିଲେ। ସହିଦ ଯବାନମାନେ ହେଲେ ପି ଯାଦବ, ମତବର ସିଂହ, କମଲେଶ କୁମାରୀ, ନାନକ ଚନ୍ଦ, ରାମପାଲ, ଓମପ୍ରକାଶ ଘନଶ୍ୟାମ, ବିଜେନ୍ଦର ସିଂହ, ଦେଶରାଜ ପ୍ରମୁଖ। ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଥିଲା ଆଫଜଲ୍‌ ଗୁରୁ, ଯିଏକି ପାକିସ୍ତାନ ଅଧିକୃତ କଶ୍ମୀରର ମୁଜଫରାବାଦରେ ଆଇଏସଆଇର ଶିବିରରେ ତାଲିମ ନେଇଥିଲା। ନିହତ ହୋଇଥିବା ୫ ଆତଙ୍କବାଦୀ ପାକିସ୍ତାନୀ ନାଗରିକ ଥିଲେ। ଆଫଜଲ ଗୁରୁକୁ ୨୦୧୩ ଫେବୃଆରୀ ୯ ତାରିଖରେ ଦିଲ୍ଲୀର ତିହାଡ଼ ଜେଲରେ ଫାଶୀ ଦିଆଯାଇଥିଲା। 

Leave A Reply

Your email address will not be published.