ଆଜିଠୁ ୧୫ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କୁ ଟୀକାକରଣ, ମାସେ ସୁଦ୍ଧା ପ୍ରଥମ ଡୋଜ ଶେଷ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର, ଜାନୁଆରୀ ୦୩ : ଆଜିଠୁ ୧୫ ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କୁ ଟୀକାକରଣ ପାଇଁ ଭାରତ ପ୍ରସ୍ତୁତ, କୋୱିନ୍ ଆପ୍‌ରେ ଜାନୁଆରୀ ୧ ରୁ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ବୟସ ଶ୍ରେଣୀ ପାଇଁ ଟିକା ବିକଳ୍ପ ସ୍ୱଦେଶୀ ଭାବରେ ବିକଶିତ ଭାରତ ବାୟୋଟେକ୍ କୋଭାକ୍ସିନ୍ ବ୍ୟବହୃତ ହେବ ।  ଏଥିପାଇଁ ରାଜ୍ୟରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସବୁ ଜିଲାରେ ନିର୍ଦ୍ଧିଷ୍ଟ ଟିକା କରଣ କେନ୍ଦ୍ର ଖୋଲା ଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି ଯେ “ଯେଉଁମାନଙ୍କର ଜନ୍ମ ବର୍ଷ ୨୦୦୭” କିମ୍ବା ଏହା ପୂର୍ବରୁ ସେମାନେ ଯୋଗ୍ୟ ହେବେ। “ଶିଶୁଙ୍କ ଟୀକାକରଣ ପାଇଁ ସାରା ରାଜ୍ୟରେ ୯୩୯ ଟି ଉତ୍ସର୍ଗୀକୃତ ଟିକା କରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଯେଉଁମାନେ କୋୱିନ୍ ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିଛନ୍ତି ସେମାନଙ୍କୁ କୋଭିଡ୍ ଟିକା ଦିଆଯିବ ବୋଲି ଓଡିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହି ସୂଚନା ଦେଇଛନ୍ତି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ କିଶୋର କିଶୋରୀମାନେ ମଧ୍ୟ ନାମ ପଞ୍ଜୀକୃତ କରିନାହାଁନ୍ତି, ଟୀକାକରଣ କେନ୍ଦ୍ରରେ ସେମାନଙ୍କ ନାମ ପଞ୍ଜିକରଣ କରି ଟିକା ଦିଆଯିବ । ରାଜ୍ୟରେ ପ୍ରାୟ ୧୫ ଲକ୍ଷ ଡୋଜ୍ କୋଭାକ୍ସିନ ଟିକା ଉପଲବ୍ଧ ଏବଂ ଆମେ ଜାନୁଆରୀ ଶେଷ ସୁଦ୍ଧା ପ୍ରଥମ ଡୋଜ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛୁ। ଟୀକାକରଣ ସମୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସାହାଯ୍ୟ କରିବାକୁ ଶିକ୍ଷକମାନଙ୍କୁ ପଚାରିବାକୁ ସ୍ୱାସ୍ଥ୍ୟ ବିଭାଗ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅନୁରୋଧ କରିଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.