ଭାରତରେ କରୋନା ସଂକ୍ରମଣ ଜାରି ରହିଲେ ପୁଣି ଥରେ ବିଦେଶରେ ହୋଇପାରେ ଆଇପିଏଲ୍‌

ନୂଆଦିଲ୍ଲୀ, ଜାନୁଆରୀ ୧୦ : ଇଣ୍ଡିଆନ୍‌ ପ୍ରୀମିୟର ଲିଗ୍‌ (ଆଇପିଏଲ୍‌) ଗତ ୨ ବର୍ଷ ହେବ ବିଦେଶରେ ଅର୍ଥାତ ୟୁଏଇରେ ଆୟୋଜିତ ହୋଇଛି। ଏହାର ପଛର କାରଣ ହେଉଛ ମହାମାରୀ କରୋନା ଭାଇରସ୍‌। ଗତ ବର୍ଷ ଆଇପିଏଲ୍‌ ଭାରତରେ ଆୟୋଜନ କରାଯିବାର ଥିଲା। କିନ୍ତୁ କରୋନାର ୨ୟ ଲହର ଆସିବା ପରେ ଏହାକୁ ବିଦେଶରେ ଆୟୋଜନ କରିବାକୁ ପଡ଼ିଥିଲା। ଏବେ ଆଇପିଏଲ୍‌-୨୦୨୨ ମଧ୍ୟ ପୁଣି ଥରେ ବିଦେଶରେ ଆୟୋଜନ କରାଯାଇପାରେ।  ଭାରତରେ ପୁଣିଥରେ କୋଭିଡ-୧୯ ସଂକ୍ରମଣ ବଢ଼ିଛି। ଇଣ୍ଡିଆନ୍‌ ପ୍ରୀମିୟର ଲିଗ୍‌ ଉପରେ ବିପଦ ମାଡ଼ିଆସୁଛି। ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇ ନଥିଲେ, ଏପ୍ରିଲରେ ଆୟୋଜନ ହେବାକୁ ଥିବା ଆଇପିଏଲ-୨୦୨୨ ପୁଣି ଥରେ ବିଦେଶରେ ଖେଳାଯିବ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ ରବିବାର କହିଛନ୍ତି ଯେ, ବୋର୍ଡ ଭାରତରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପ୍ରାଥମିକତା ଦେବ। କିନ୍ତୁ ଏହି ନିଷ୍ପତ୍ତି ଉପରେ ରାଜ୍ୟ ସରକାରଙ୍କ ନିର୍ଣ୍ଣୟ ନିର୍ଭର କରିବ। କାରଣ ଆଇପିଏଲ୍‌ର ମ୍ୟାଚ୍‌ ଗୁଡ଼ିକ ବିଭିନ୍ନ ରାଜ୍ୟରେ ଆୟୋଜନ ହେବ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୋର୍ଡ କୋଭିଡ ସ୍ଥିତି ଉପରେ ନଜର ରଖିଛି। ଟୁର୍ଣ୍ଣାମେଣ୍ଟ କେଉଁଠି ହେବ, ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ବିସିସିଆଇ ବିକଳ୍ପ ଖୋଜୁଛି। କିନ୍ତୁ ଭାରତରେ ମ୍ୟାଚ ଆୟୋଜନ କରିବାକୁ ଅଧିକ ଚିନ୍ତା କରୁଛି। 

Leave A Reply

Your email address will not be published.