ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ନହେଉଣୁ ମାତିଲେଣି ସାଇବର୍ ଠକ

ଭୁବନେଶ୍ୱର, ଜାନୁଆରୀ ୧୦ : ଆଜି ଠାରୁ ପୁରା ଦେଶରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍ ଟିକାକରଣ । ଯାହାକି ଏକ ବଡ଼ ସୁବର୍ଣ୍ଣ ସୁଯୋଗ ପାଲଟିଛି ସାଇବର ଠକ ମାନଙ୍କ ପାଇଁ । ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଥିବା ଲୋକ ମାନଙ୍କ ତଥ୍ୟ ଏକାଠି କରି ସେମାନେ ବୁଷ୍ଟର ଡୋଜ୍ ଟିକା ନେବା ପାଇଁ ଯୋଗ୍ୟ ବୋଲି ସେମାନଙ୍କ ମୋବାଇଲ ନମ୍ବରକୁ ଫେକ୍ ମେସେଜ୍ ପଠାଉଛନ୍ତି ସାଇବର ଲୁଟେରା । ଆଉ ଏହି ମେସେଜ୍ ଉପରେ ଗୋଟିଏ କ୍ଲିକ୍ କରିବା ମାତ୍ରେ ହିଁ ଆକାଉଣ୍ଟରୁ ଗାୟବ୍ ହୋଇଯାଇପାରେ ଟଙ୍କା ତେଣୁ ସାବଧାନ । ପୂର୍ବରୁ ମଧ୍ୟ କରୋନା ଟିକାକରଣ ଆରମ୍ଭ ହେବା ସମୟରେ ଦେଶରେ ଅନେକ ସାଇବର ଠକାମୀର ଅଭିଯୋଗ ହୋଇଥିଲା ଆଉ ସମାନ ଭାବରେ ଦ୍ୱିତୀୟ ଡୋଜ୍ ସମୟରେ ବହୁ ଲୋକ ଏହି ଭଳି ଠକାମୀର ଶିକାର ହୋଇଥିଲେ । ଆଉ ଏବେ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ନହେଉଣୁ ପୁଣି ମାତିଛନ୍ତି ଏହି ସାଇବର ଲୁଟେରା ।ବିଶେଷ ଭାବରେ ଉତ୍ତର ଭାରତରେ ଏହି ଠକେଇ ଅଧିକ ମାତ୍ରାରେରେ ହେଉଥିବା ଅଭିଯୋଗ ଆସିଛି । ସାଇବର ଠକ କୋଭିଡ୍ ବୁଷ୍ଟର ଡୋଜ୍‌ର ପଞ୍ଜୀକରଣ କରାଇବା ଆଳରେ ମାଲୱେର୍ ଲିଙ୍କ ପଠାଉଛନ୍ତି । ଏହି ଲିଙ୍କ୍‌ରେ କ୍ଲିକ୍ କରିବା ପରେ ସାଇବର ଠକ ଦ୍ୱାରା ତିଆରି ହୋଇଥିବା ନକଲି ୱେବସାଇଟ୍‌ରେ ଟିକାକରଣର ସ୍ଲଟ୍ ବୁକିଂ କରିବା ପାଇଁ ତାରିଖ ଏବଂ ପୂର୍ବରୁ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ସାର୍ଟିଫିକେଟର ସବିଶେଷ ତଥ୍ୟ, ଆଧାର କାର୍ଡ ଦେବାକୁ ନିର୍ଦ୍ଦେଶ ଥାଏ । ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ତଥ୍ୟ ଦେବା ପରେ ସାଇବର ଠକ ମୋବାଇଲ୍‌କୁ ପଞ୍ଜୀକରଣର ନିଶ୍ଚିତ କରାଇବା ପାଇଁ ଓଟିପି ପଠାଏ । ଏହା ପରେ ଉକ୍ତ ଓଟିପି ଦେବାକୁ କହିଥାଏ । ଓଟିପି ଦେବା ପରେ ସାଇବର ଠକ ମୋବାଇଲକୁ ସଂପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେଇଥାଏ । ଏହା ପରେ ମୋବାଇଲ୍‌ରେ ଥିବା ୟୁପିଆଇ ବ୍ୟାଙ୍କିଙ୍ଗ୍ ଡିଟେଲ୍ସ ଓ ଅନ୍ୟାନ୍ୟ ତଥ୍ୟ ନେଇ ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ଲୁଟିନେଇଥାଏ । ତେବେ ଓମିକ୍ରନ୍ ଭୟାବହତା ମଧ୍ୟରେ ଲୋକମାନେ ବୁଷ୍ଟର ଡୋଜ୍ ନେବା ପାଇଁ ବ୍ୟାକୁଳ ହେଉଥିବା ସମୟରେ ବୟସ୍କ ଲୋକମାନଙ୍କୁ ଅତି ସହଜରେ ଟାର୍ଗେଟ କରି ଟଙ୍କା ଲୁଟୁଛନ୍ତି ସାଇବର ଲୁଟେରା ।

Leave A Reply

Your email address will not be published.