ପ୍ରଧାନମନ୍ତ୍ରୀ ମୋଦୀ ଆଜି ତାମିଲନାଡୁରେ ଉଦ୍‌ଘାଟନ କରିବେ ୧୧ ମେଡିକାଲ କଲେଜ

ନୂଆଦିଲ୍ଲୀ/ଚେନ୍ନାଇ, ଜାନୁଆରୀ ୧୨ : ଚିକିତ୍ସା ଓ ଚିକିତ୍ସା ବିଦ୍ୟା ନେଇ ତାମିଲନାଡୁ ତଥା ଦେଶବାସୀଙ୍କୁ ଆଜି ବଡ଼ ଉପହାର ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ୧୧ଟି ମେଡିକାଲ କଲେଜକୁ ଉଦ୍‌ଘାଟନ କରିବେ। ମେଡିକାଲ କଲେଜ ଗୁଡ଼ିକ ଭର୍ଚୁଆଲ ମୋଡରେ ଉଦ୍‌ଘାଟନ ହେବ।  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏମ୍‌ବିବିଏସ୍‌ ସିଟ ଗୁଡ଼ିକ ୭୯.୬୦ ପ୍ରତିଶତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୫୧ ହଜାର ୩୪୮ ଥିବା ବେଳେ ୭ ବର୍ଷ ମଧ୍ୟରେ ଏହାକୁ ୯୨ ହଜାର ୨୨୨ କରିଦିଆଯାଇଛି। ସେହିପରି ପିଜି ପାଠ୍ୟକ୍ରମ ପାଇଁ ୮୦.୭୦ ପ୍ରତିଶତ ସିଟ ବଢ଼ାଇ ଦିଆଯାଇଛି। ପୂର୍ବରୁ ୩୧ ହଜାର ୧୮୫ ସିଟ ଥିବା ବେଳେ ଏବେ ଏହା ୫୬ ହଜାର ୩୭୪ ରହିଛି। ୨୦୧୪ ପୂର୍ବରୁ ଦେଶରେ ମୋଟ ମେଡିକାଲ ସିଟ ୮୨ ହଜାର ୫୦୦ ଥିଲା। ବିଗତ ୭ ବର୍ଷ ମଧ୍ୟରେ ଏହା ୮୦ ପ୍ରତିଶତ ବୃଦ୍ଧି ଘଟିଛି। ଅର୍ଥାତ ୬୬ ହଜାର ମେଡିକାଲ ସିଟ୍‌ ବଢ଼ାଇ ଦିଆଯାଇଛି। ସେହିପରି ଦେଶରେ ପୂର୍ବରୁ ୩୮୭ ସରକାରୀ ଓ ଘରୋଇ ମେଡିକାଲ କଲେଜ ଥିବା ବ‌େଳେ ଏହା ଏବେ ୫୪ ପ୍ରତିଶତ ବଢ଼ିବା ସହିତ ୫୯୬ରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ତାମିଲନାଡୁରେ ୧୧ଟି ମେଡିକାଲ କଲେଜ ଉଦ୍‌ଘାଟନ କରିବା ସହିତ ପୁଡୁଚେରୀରେ ଆୟୋଜିତ ୨୫ତମ ନ୍ୟାସନାଲ ୟୁଥ ଫେଷ୍ଟିଭାଲ ଉଦ୍‌ଘାଟନ କରିବେ। ଏହି ସମାରୋହ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ। ସୂଚନାଯୋଗ୍ୟ, ନ୍ୟାସନାଲ ୟୁଥ ଦିବସ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ପାଳନ ହୋଇଥାଏ।

Leave A Reply

Your email address will not be published.