ଭୁବନେଶ୍ୱର, ଜାନୁଆରୀ ୧୨ : ରାଜ୍ୟରେ ଏବେ ଦୈନିକ କୋଭିଡ୍ ସଂକ୍ରମଣ ୧୦ ହଜାର ମୁହାଁ ହୋଇଛି । ବିଶେଷ ଭାବରେ ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଅତି ସଙ୍ଗୀନ ରହିଛି। ଯାହାଫଳରେ କୋଭିଡ୍ ହସସ୍ପିଟାଲ ଗୁଡିକରେ ମଧ୍ୟ ରୋଗୀ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ସମାନ ଭାବରେ ଭୁବନେଶ୍ୱରରେ ଏମ୍ସରେ ବି କୋଭିଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯାହାକୁ ଦୃଷ୍ଟିରେ ରଖି ଏବେ ସାଧାରଣ ରୋଗୀଙ୍କ ଚିକିତ୍ସା ପାଇଁ ଓପିଡିରେ ପୂର୍ବ ଭଳି କଟକଣା ଜାରି କରାଯାଇଛି । ଏମ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଭେଷଜ (ମେଡିସିନ), ଅସ୍ଥିଶଲ୍ୟ, ଚର୍ମ, ଶିଶୁ, ଶଲ୍ୟ ଚିକିତ୍ସା(ଜେନେରାଲ୍ ସର୍ଜରି), ଶ୍ୱାସ(ପଲ୍ମୁନାରୀ ମେଡିସିନ୍), ଇଏନ୍ଟି, ଚକ୍ଷୁ, ଗ୍ୟାଷ୍ଟ୍ରୋ ଏଣ୍ଡୋକ୍ରିନୋଲୋଜି ଭଳି ବିଭାଗରେ ଦୈନିକ ରୋଗୀ ଦେଖିବା ସଂଖ୍ୟା ୧୦୦ରେ ସୀମିତ ରଖାଯାଇଛି । ୟୁରୋଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଏଣ୍ଡୋକ୍ରାଇନୋଲୋଜି, କାର୍ଡିଓଲୋଜି ଭଳି ବିଭାଗ ପୂର୍ବଭଳି କାର୍ଯ୍ୟ କରିବ । ଡେ-କେୟାର, ରେଡିଓଥେରାପି, ଡାଏଲିସିସ୍, ଟ୍ରମା ଏବଂ ଜରୁରୀକାଳୀନ ପରିସ୍ଥିତି, ଜରୁରୀକାଳୀନ ଜୀବନ ବଞ୍ଚାଇବା, ଟେଲି ମେଡିସିନ୍, ‘ଏମ୍ସ ଭୁବନେଶ୍ୱର ଆପ୍, ଆଇପିଡି ସେବା, ଟିକାକରଣ ସେବା, ପ୍ରତିରୋପଣ ସେବା, ଫୁସ୍ଫୁସ (ଟିକାକରଣ ଆରଏମଆରସି), ଆନାସସ୍ଥେସିଓଲୋଜି (ପିଏସି) ଏବଂ ପେନ୍ କ୍ଲିନିକ୍ ଇତ୍ୟାଦି ପୂର୍ବପରି ଜାରି ରହିବ । କୋଭିଡ୍ ରୋଗୀଙ୍କ ପାଇଁ ସମସ୍ତ ଆବଶ୍ୟକ ଔଷଧ ସହିତ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ରୋଗୀମାନେ ସ୍ୱାସ୍ଥ୍ୟ ସେବା ପାଇଁ ଏହାର ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରିପାରିବେ । ରୋଗୀ ସିଧାସଳଖ ଡାକ୍ତରଖାନା ଆସିବା ବଦଳରେ ଟେଲିମେଡିସିନ କିମ୍ବା ଏମ୍ସ ପକ୍ଷରୁ ଜାରି କରାଯାଇଥିବା ସ୍ୱାସ୍ଥ୍ୟ ଆପ୍ର ସହାୟତା ନେବାକୁ ଏମ୍ସ ପକ୍ଷରୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ରହିଆସିଥିବା ଟେଲିମେଡିସିନ ସେବା ନମ୍ବରଗୁଡ଼ିକ ପୁଣି ଥରେ ଜାରି କରାଯାଇଥିବା ଏମ୍ସ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।