ବିଧାନସଭା ନିର୍ବାଚନ: ୨୦୧୭ରେ ପଶ୍ଚିମ ଉତ୍ତର ପ୍ରଦେଶରେ ବହୁତ ଭଲ ପ୍ରଦର୍ଶନ କରିଥିଲା ବିଜେପି

ଲକ୍ଷ୍ନୌ, ଜାନୁଆରୀ ୧୪ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜିଠାରୁ ଅଧିସୂଚନା ଜାରି ହୋଇଯିବ। ପଶ୍ଚିମ ଉତ୍ତର ପ୍ରଦେଶର ୧୧ଟି ଜିଲ୍ଲାର ୫୮ଟି ଆସନରେ ଶୁକ୍ରବାର ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଆଗାମୀ ୨୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ପ୍ରଥମ ପର୍ଯ୍ୟାୟରେ ନାମାଙ୍କନ ପତ୍ର ଯାଞ୍ଚ ଜାନୁଆରୀ ୨୪ ଥିବା ବେଳେ ୨୭ ପର୍ଯ୍ୟନ୍ତ ପ୍ରାର୍ଥୀ ନିଜର ନାମ ପ୍ରତ୍ୟାହାର କରିପାରିବେ। ଏହି ଅଞ୍ଚଳରେ ମତଦାନ ଫେବୃଆରୀ ୧୦ ତାରିଖରେ ହେବ। ୨୦୧୭ ବିଧାନସଭା ନିର୍ବାଚନରେ ପଶ୍ଚିମ ଉତ୍ତର ପ୍ରଦେଶରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିଥିଲା। ଏଥର କିନ୍ତୁ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟ କରିଥିବାରୁ ସ୍ଥିତି ଅଲଗା ହୋଇପାରେ ବୋଲି ରାଜନୈତିକ ପଣ୍ଡିତ ପୂର୍ବାନୁମାନ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୧ ଜିଲ୍ଲା ଶାମଲୀ, ମେରଠ, ମୁଜଫରନଗର, ବାଗପତ, ହାପୁଡ, ଗୌତମବୁଦ୍ଧନଗର, ଗାଜିଆବାଦ, ବୁଲନ୍ଦସହର, ମଥୁରା, ଆଗ୍ରା ଓ ଆଲିଗଡ଼ର ମୋଟ ୫୮ଟି ନିର୍ବାଚନ ମଣ୍ଡଳୀରେ ଭୋଟ ହେବ। ଗତ ନିର୍ବାଚନରେ ବିଜେପି ୬ଟି ଜିଲ୍ଲାରେ ମୂଳପୋଚ୍ଛ କରିନେଇଥିଲା। ବିରୋଧୀ ଦଳକୁ ଗୋଟିଏ ବି ଆସନ ମିଳିପାରି ନଥିଲା। ପଶ୍ଚିମ ଉତ୍ତର ପ‌୍ରଦେଶରେ ବିଜେପିକୁ ୫୮ରୁ ୫୩ଟି ଆସନରେ ବିଜୟ ମିଳିଥିଲା। ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିକୁ ୨-୨ଟି ଆସନ ମିଳିଥିବା ବେଳେ ଆରଏଲଡି ଗୋଟିଏ ଆସନରେ ନିର୍ବାଚନ ଜିତିଥିଲା। ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ଉତ୍ତର ପ୍ରଦେଶର ସମସ୍ତ ବିଧାନସଭା କ୍ଷେତ୍ରରେ ମତଦାନ ହେଉଛି। ତେଣୁ ବିଜେପି ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ନିର୍ବାଚନ ବାତାବରଣକୁ ସରଳ କରିପାରିବ। ବିଜେପିର ବଳକୁ ବିରୋଧୀ ଶକ୍ତି ଭାଙ୍ଗିପାରିବ କି ନାହିଁ ତାହା ଭିନ୍ନ କଥା। କିନ୍ତୁ ପଶ୍ଚିମ ଉତ୍ତର ପ୍ରଦେଶରେ ବିଜେପିର ଗଡ଼କୁ ଭାଙ୍ଗିବା ବିରୋଧୀଙ୍କ ପାଇଁ ସହଜ ହୋଇ ନପାରେ।

Leave A Reply

Your email address will not be published.