୧୯ ବର୍ଷରୁ କମ୍ ବିଶ୍ୱକପ୍‌: ୫ମ ଥର ଟ୍ରଫି ଜିତିବା ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ, ଫେବ୍ରୁଆରୀ ୦୫ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ର ଫାଇନାଲରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ସାଢ଼େ ୬ଟାରେ ଉଭୟ ଦଳର ଯୁବ କ୍ରିକେଟରମାନେ ଆଣ୍ଟିଗୁଆର ନର୍ଥ ସାଉଣ୍ଡସ୍ଥିତ ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ୟଶ୍ ଧୁଲଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ପଡ଼ିଆକୁ ଓହ୍ଲାଇବ । ଟିମ୍ ଇଣ୍ଡିଆ ପୁଣି ଥରେ ଟ୍ରଫି ଜିତି ଇତିହାସ ରଚିବା ଲକ୍ଷ୍ୟ ରଖିବ । ଭାରତର ନଜର ରେକର୍ଡ ଉପରେ ରହିବ । ଦଳ ୫ମ ଥର ଟ୍ରଫି ଜିତି କୀର୍ତ୍ତିମାନ କରିବାକୁ ଚାହିଁବ । ଅନ୍ୟପଟରେ ଇଂଲଣ୍ଡ ମଧ୍ୟ ଇତିହାସ ରଚିବାକୁ ସୁଯୋଗ ହାତଛଡ଼ା କରିବ ନାହିଁ । ଉଭୟ ଟିମ୍ ଶକ୍ତିଶାଳୀ ଥିବାରୁ ମ୍ୟାଚ୍ ରୋମାଞ୍ଚକର ହେବା ଆଶା ରହିଛି । ସୂଚନାଯୋଗ୍ୟ ଭାରତ ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ରେ ଚାମ୍ପିଅନ୍ ହୋଇଥିଲା । ଅନ୍ୟପଟରେ ଇଂଲଣ୍ଡ ୧୯୯୮ରେ ଏକମାତ୍ର ୧୯ବର୍ଷରୁ କମ୍ ଟ୍ରଫିରେ ଚାମ୍ପିଅନ୍ ହୋଇଥିଲା ।ଏହା ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ୧୯ ବର୍ଷରୁ କମ୍ ଟିମ୍‌ର ଖେଳାଳିଙ୍କ ସହିତ କଥା ହୋଇଛନ୍ତି । ୧୯ବର୍ଷରୁ କମ୍ କ୍ରିକେଟ୍ ଟିମ୍‌ର ଖେଳାଳି କୌଶଲ ତାମ୍ବେ ନିଜର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତ । କୌଶଲଙ୍କ ବ୍ୟତୀତ ୧୯ ବର୍ଷରୁ କମ୍ କ୍ରିକେଟର ଖେଳାଳି ରାଜବର୍ଦ୍ଧନ ହଙ୍ଗରଗେକର ମଧ୍ୟ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିରାଟ କୋହଲିଙ୍କ ସହିତ ହୋଇଥିବା ଜୁମ ମିଟିଂର ଫଟୋ ସେୟାର କରିଛନ୍ତି ।  ସେମିଫାଇନାଲ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଣ୍ଟିଗୁଆସ୍ଥିତ କୁଲୀଜ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଏଥିରେ ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା । ଟିମ୍‌ର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ । ତେଣୁ ଭାରତର ସ୍କୋର ୨୯୦ ରନ୍ ହୋଇପାରିଥିଲା ।  ଅଧିନାୟକ ୟଶ ଢୁଲ ୧୧୦ ରନ୍ ଓ ଶେଖ ରଶୀଦ୍ ୯୪ ରନ୍ ସଂଗ୍ରହ କରିଥିଲେ । ଜବାବରେ ଅଷ୍ଟ୍ରେଲିଆର ସମସ୍ତ ଖେଳାଳି ୪୧.୫ ଓଭରରେ ୧୯୪ ରନ୍ ସଂଗ୍ରହ କରିପାରିଥିଲେ । ଭାରତ ପକ୍ଷରୁ ଓସ୍ତୱାଲ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ନିଶାନ୍ତ ସିନ୍ଧୁ ଓ ରବି କୁମାରଙ୍କୁ ୨-୨ ୱିକେଟ୍ ମିଳିଥିଲା । ଭାରତୀୟ ଯୁବ କ୍ରିକେଟର ମାନେ ବୁଧବାର  ଅଷ୍ଟ୍ରେଲିଆ ବପକ୍ଷରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌କୁ ୯୬ ରନ୍‌ରେ ଜିତିଥିଲେ । 

Leave A Reply

Your email address will not be published.