ହିନ୍ଦୁସ୍ତାନୀ ସଙ୍ଗୀତ ଗୁରୁ ଦାମୋଦର ହୋତାଙ୍କର ଦେହାନ୍ତ

ଭୁବନେଶ୍ୱର, ଫେବ୍ରୁଆରୀ 7 : ହିନ୍ଦୁସ୍ତାନୀ ସଙ୍ଗୀତ ଗୁରୁ ଦାମୋଦର ହୋତାଙ୍କର ଦେହାନ୍ତ ହୋଇଯାଇଛି ।  ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ବନାରସ ହିନ୍ଦୁ ୟୁନିଭର୍ସିଟିରେ ହିନ୍ଦୁସ୍ତାନୀ ସଂଗୀତରେ ସ୍ନାତକୋତ୍ତର କରିଥିଲେ । ଏହାପରେ ଓଡ଼ିଶାରେ ଶତାଧିକ ଶିଷ୍ୟ ତିଆରି କରିଥିଲେ ସେ । ହିନ୍ଦୁସ୍ତାନୀ ସଂଗୀତ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ସେ ପଦ୍ମକେଶରୀ ସମ୍ମାନ, ଓଡ଼ିଆ ସାହିତ୍ୟ ସମାଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଦାମୋଦର ହୋତା ଜଣେ ପାରମ୍ପରିକ ଓଡ଼ିଶୀ ବା ଉତ୍ରପଦ୍ଧତୀୟ ଶାସ୍ତ୍ରୀୟ ସଙ୍ଗୀତ ଓ ହିନ୍ଦୁସ୍ତାନୀ ସଙ୍ଗୀତ ଗାୟକ ଏବଂ ଗବେଷକ ଥିଲେ । ସେ ଆକାଶବାଣୀ କଟକ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱରର ଜଣେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଥିଲେ । ତାଙ୍କୁ ପଦ୍ମକେଶରୀ ଉପାଧିରେ ଭୂଷିତ କରାଯାଇଛି । ପଣ୍ଡିତ ହୋତା ୧୯୩୫ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଗୋପୀନାଥ ହୋତା ଗୌଡ଼ବାଡ଼ ସାହି ଅଡ଼ଙ୍ଗତିଆଡ଼ି ଜାଗାର ସଭ୍ୟ, ମଲ୍ଲଯୋଦ୍ଧା, ଗାୟକ ଓ ମର୍ଦ୍ଦଳବାଦକ ଥିଲେ । ତାଙ୍କ ମାତାଙ୍କ ନାମ ଦଣ୍ଡିମଣି ଦେବୀ । ଶୈଶବ ଅବସ୍ଥାରୁ ସେ ନିଜ ପିତାଙ୍କ ସୁମଧୁର କଣ୍ଠରୁ ଜାଗା ଆଖଡ଼ାରେ ପ୍ରଚଳିତ ଓଡ଼ିଶୀ ସଙ୍ଗୀତ ଶୁଣି ଶୁଣି ଶିକ୍ଷା କରିଥିଲେ । ଗୁରୁ କାଶୀନାଥ ମୁଦୁଲିଙ୍କ ଠାରୁ ସେ ମର୍ଦ୍ଦଳ ଓ ତବଲା ବାଦନ ଶିଖିଥିଲେ ।

Leave A Reply

Your email address will not be published.