ଦିଲ୍ଲୀରେ ଆଜିଠୁ ବାଜିବ ଘଣ୍ଟି, ଖୋଲିବ ସ୍କୁଲ-କଲେଜ

ନୂଆଦିଲ୍ଲୀ, ଫେବ୍ରୁଆରୀ ୦୭ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆଜିଠାରୁ ସ୍କୁଲ କଲେଜଗୁଡ଼ିକ ଖୋଲିବ । ନବମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଅଫ୍‌ଲାଇନ୍ ମାଧ୍ୟମରେ ପାଠପଢ଼ା ହେବ । ସ୍କୁଲ ଯିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଭାବକଙ୍କ ଠାରୁ ଅନୁମତି ପତ୍ର ମଧ୍ୟ ନେବାର ଦରକାର ଅଛି । ବିନା ଅନୁମତି ପତ୍ରରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରବେଶ କରାଯିବ ନାହିଁ । ଏବେ ଅନ୍‌ଲାଇନ୍ ସହିତ ଅଫଲାଇନ ପାଠପଢ଼ା ମଧ୍ୟ ଜାରି ରହିବ । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର କଟକଣା କୋହଳ କରିଛନ୍ତି । ଏବେ ରାସ୍ତାକଡ଼ରେ ଦୋକାନ-ବଜାର ରାତି ୧୧ଟା ଯାଏଁ ଖୋଲିପାରିବ । ଏସଂକ୍ରାନ୍ତରେ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିଲ୍ଲୀ ପ୍ରାକୃତିକ ବିପର୍ଯ୍ୟୟ ପ୍ରାଧିକରଣ (ଡିଡିଏମ୍‌ଏ)ର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ରାତ୍ରୀକାଳୀନ କର୍ଫ୍ୟୁ ୧ ଘଣ୍ଟା କମ ରହିବ । ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ଦିଲ୍ଲୀର ସମସ୍ତ କାର୍ଯ୍ୟାଳୟ ଏଣିକି ଶତପ୍ରତିଶତ କ୍ଷମତାରେ ଖୋଲିବ । ସେହିପରି ଜିମ୍ ଓ ସ୍ପା ମଧ୍ୟ ଆଜିଠାରୁ ଖୋଲିବ । ସ୍କୁଲ ଖୋଲିବା ନେଇ ସରକାର ଘୋଷଣା କରିଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବ୍ୟକ୍ତିଗତ ଭାବେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କାରଣ ୩ୟ ଲହର ଦେଖାଯିବା ପରେ ଦିଲ୍ଲୀରେ ୨୦୨୧ ଡିସେମ୍ବର ଶେଷ ସପ୍ତାହରେ ସ୍କୁଲ-କଲେଜଗୁଡ଼ିକ ବନ୍ଦ କରି ଦିଆଯାଇଥିଲା । 

Leave A Reply

Your email address will not be published.