ନର୍ମଦା ଘାଟୀ ପ୍ରକଳ୍ପର ଅଣ୍ଡରଗ୍ରାଉଣ୍ଡ ଟନେଲ ଧସିଲା; ୯ ଶ୍ରମିକ ଫସିଲେ, ଉଦ୍ଧାର କାର୍ଯ୍ୟ ଜାରି

ଭୋପାଳ, ଫେବ୍ରୁଆରୀ ୧୩ : ମଧ୍ୟପ୍ରଦେଶର କଟନୀ ଜିଲ୍ଲାରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ବଡ଼ ଦୁର୍ଘଟଣା ଘଟିଛି । ନର୍ମଦା ଘାଟୀ ପ୍ରକଳ୍ପ ପାଇଁ ନିର୍ମାଣାଧୀନ ଅଣ୍ଡରଗ୍ରାଉଣ୍ଡ ଟନେଲ ଧସିବାରୁ ୯ ଜଣ ଶ୍ରମିକ ଏଥିରେ ଫସିଯାଇଛନ୍ତି । ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ବଳ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଉଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଦୁର୍ଘଟଣା ସଂପର୍କରେ ଅବଗତ ହେବା ପରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସହିତ କଥା ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ନିର୍ମାଣାଧୀନ ସୁଡ଼ଙ୍ଗ ଧସିବାରୁ ୯ ଜଣ ଶ୍ରମିକ ଫସିଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।  ଗଣମାଧ୍ୟମର ରିପୋର୍ଟ ଅନୁସାରେ ସିଲମନାବାଦ୍‌ରେ ଏହି ଅଘଟଣ ଘଟିଛି । କୁହାଯାଉଛି ଯେ, ସିଲମନାବାଦରେ ନର୍ମଦା ଘାଟୀ ପ୍ରକଳ୍ପ ପାଇଁ ନଦୀର ଡାହାଣ କୂଳରେ ଟନେନ ନିର୍ମାଣ କାମ ଚାଲିଥିଲା । ନର୍ମଦା ନଦୀ ଉପରେ ନିର୍ମାଣାଧୀନ ଡ୍ୟାମରୁ ବାଣାସାଗର ପର୍ଯ୍ୟନ୍ତ ଅଣ୍ଡରଗ୍ରାଉଣ୍ଡ ଟନେଲ କାମ ଚାଲିଥିବା ବେଳେ ମାଟି ଧସିଥିଲା । ଫଳରେ ୯ ଜଣ ଶ୍ରମିକ ଫସିଯାଇଥିଲେ । ଆରମ୍ଭରୁ ୩ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । କୁହାଯାଉଛି ଯେ, ଟନେଲ ଭିତରେ ଫସିଥିବା ଶ୍ରମିକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗଭୀର ଭିତରେ ଫସିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ପୋଲିସ ଅଧୀକ୍ଷକ ମଧ୍ୟ ପହଞ୍ଚିଛନ୍ତି । 

Leave A Reply

Your email address will not be published.