ହିଜାବ ବିବାଦ: ଉତ୍ତେଜନା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ପାକିସ୍ତାନ

ନୂଆଦିଲ୍ଲୀ, ଫେବ୍ରୁଆରୀ ୧୩ : ହିଜାବକୁ ନେଇ ଦେଶବ୍ୟାପୀ ଚାଲିଥିବା ବିରୋଧ ପ୍ରଦର୍ଶନ ପଛରେ ଚାଲିଥିବା ଷଡ଼ଯନ୍ତ୍ରକୁ ନେଇ ଗୁଇନ୍ଦା ସଂସ୍ଥା ହାଇଆଲର୍ଟ ଜାରି କରିଛି । ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର ଓ ପଶ୍ଚିମବଙ୍ଗକୁ ନେଇ ଏହି ଆଲର୍ଟ ଜାରି ହୋଇଛି । ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଛି ଯେ, ହିଜାବକୁ ନେଇ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର କାମ କରୁଛି । ଆଲର୍ଟରେ କୁହାଯାଇଛି ଯେ, ଦେଶ-ବିରୋଧୀ ଉପଦ୍ରବ ସୃଷ୍ଟି କରିବା ପାଇଁ ହଜାବ ରେଫରେଣ୍ଡମ ପାଇଁ ଏକ ୱେବସାଇଟ୍ ପ୍ରସ୍ତୁତ କରାଯାଇଛି । ଏଥିରେ ଲୋକେ ଅନ୍‌ଲାଇନରେ ଆସି ପ୍ରଦର୍ଶନକୁ ସମର୍ଥନ ଦେବା ପାଇଁ କୁହାଯାଇଛି । ଏହି ଆକାଉଣ୍ଟରେ ମିଛ ଭିଡିଓ, ଉତ୍ତେଜିତ ଭାଷଣ ଓ ପରିସ୍ଥିତି ବିଗାଡ଼ିବା ପାଇଁ ଧାର୍ମିକ ବାର୍ତ୍ତା ପ୍ରସାରିତ କରାଯାଇଛି । ଗୁଇନ୍ଦା ସୂତ୍ର ଅନୁସାରେ ଷଡ଼ଯନ୍ତ୍ର ପଛରେ ପାକିସ୍ତାନର ଆଇଏସଆଇ ସହିତ ଦେଶରେ ଏକ ସ୍ୱତନ୍ତ୍ର ସଂପ୍ରଦାୟର ସଂଗଠନ ରହିଛି । କର୍ଣ୍ଣାଟକରେ ହିଜାବ୍ ବିବାଦ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି । ଉଡ୍ଡୁପୀ ଜିଲ୍ଲାର ଏକ ସରକାରୀ କଲେଜରେ ୬ ଜଣ ଛାତ୍ରୀଙ୍କ ହିଜାବ୍ ପିନ୍ଧି କ୍ଲାସରୁମ୍‌ରେ ପ୍ରବେଶକୁ କେନ୍ଦ୍ର କରି ଗତବର୍ଷ ଡିସେମ୍ବର ୩୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ହାଇକୋର୍ଟରେ ଶୁଣାଣି ଚାଲିଛି । କିନ୍ତୁ ବିବାଦ ବଢ଼ିଥିବାରୁ ଚାରିଆଡେ ଉତ୍ତେଜନା ପରିସ୍ଥିତି ମଧ୍ୟ ଦେଖାଯାଇଛି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆଗାମୀ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ, ବିଶ୍ୱବିଦ୍ୟାଳୟ ଓ ପ୍ରଫେସନାଲ କୋର୍ସ ଥିବା ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏହା ପୂର୍ବରୁ ରାଜ୍ୟ ଶିକ୍ଷା ବିଭାଗ ଗତ ୯ ତାରିଖ ଠାରୁ ୧୧ ତାରିଖ ଯାଏଁ ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ନେଇ ଘୋଷଣା ହୋଇଥିଲା । 

Leave A Reply

Your email address will not be published.