ଉତ୍ତର ପ୍ରଦେଶ ନିର୍ବାଚନ: ଫେବ୍ରୁଆରି ୧୪ରେ ୯ ଜିଲ୍ଲାର ୫୫ ଆସନରେ ମତଦାନ

ଲଖନଉ, ଫେବ୍ରୁଆରୀ ୧୩ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗତ ୧୦ ତାରିଖ ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଛି । ପଶ୍ଚିମ ଉତ୍ତର ପ୍ରଦେଶର ୧୧ଟି ଜିଲ୍ଲାର ୫୮ଟି ଆସନରେ ୬୦.୧୩ ପ୍ରତିଶତ ମତଦାନ ହୋଇଛି । ଏବେ ସମସ୍ତଙ୍କ ନଜର ୨ୟ ପର୍ଯ୍ୟାୟ ମତଦାନ ଉପରେ ରହିବ । ରାତି ପାହିଲେ ଅର୍ଥାତ ଫେବ୍ରୁଆରୀ ୧୪ ତାରିଖରେ ୨ୟ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଯିବ । ଏଥି ପାଇଁ ଶନିବାର ପ୍ରଚାର ଶେଷ ହୋଇଛି । ପୋଲିଂ କାମରେ ନିୟୋଜିତ କର୍ମଚାରୀମାନେ ମତଦାନ କେନ୍ଦ୍ର ଅଭିମୁଖେ ବାହାରି ସାରିଛନ୍ତି । କିଛି କର୍ମଚାରୀ ପହଞ୍ଚି ସାରିଥିବା ବେଳେ ଅନ୍ୟମାନେ ଆଜି ସନ୍ଧ୍ୟା ସୁଦ୍ଧା ପହଞ୍ଚିବେ । ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ୨ୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୯ଟି ଜିଲ୍ଲାରେ ୫୫ଟି ଆସନରେ ମତଦାନ ହେବ । ଏଥିରୁ ୮ଟି ଜିଲ୍ଲାରେ ସଂଖ୍ୟାଲଘୁଙ୍କ ଆବାଦୀ ୨୩ରୁ ୫୦ ପ୍ରତିଶତ ଯାଏଁ । ସହାରନପୁର, ବିଜନୌର, ମୁରାଦାବାଦ, ସମ୍ଭଳ, ରାମପୁର, ଅମରୋହା, ଭଦାୟୁ, ବରେଲି ଓ ଶାହଜହାଁପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସୋମବାର ମତଦାନ ହେବ । ତେବେ ଉତ୍ତର ପ୍ରଦେଶରେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ରାଜନୈତିକ ଦଳ ମାନେ ପ୍ରଚାରକୁ ତୀବ୍ର କରିଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ବାରବାଙ୍କିରେ ପ୍ରଚାର କରିବେ । ରାଜନାଥ ସିଂହ ବିଜେପି ପାଇଁ ଜନସଭା ମଧ୍ୟ କରିବେ । ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ ଝାନ୍‌ସୀରେ ପ୍ରଚାର କରିବେ ।

Leave A Reply

Your email address will not be published.