କଂଗ୍ରେସରେ ବଢୁଛି ପ୍ରିୟଙ୍କା ଗାନ୍ଧୀ ଭୂମିକା

ନୂଆଦିଲ୍ଲୀ ୧୫।୦୨: କଂଗ୍ରେସରେ ପାର୍ଟିର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଭୂମିକା ଦିନକୁ ଦିନ ବଢିବାରେ ଲାଗିଛି। ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପରେ ପ୍ରିୟଙ୍କା ଦ୍ଵିତୀୟ ବଡ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ଉତ୍ତର ପ୍ରଦେଶ ଏବଂ ଅନ୍ୟ ରାଜ୍ୟର ପ୍ରାର୍ଥୀ ନିଜର ପ୍ରଚାରରେ ପ୍ରିୟଙ୍କା ଗାନ୍ଧୀଙ୍କୁ ସାମିଲ କରିବାକୁ ଚାହୁଁଛନ୍ତି। ପ୍ରିୟଙ୍କା ନିଜ ଦଳର ପ୍ରାର୍ଥୀଙ୍କୁ ନିରାଶ ନକରି ରାଜ୍ୟ ରାଜ୍ୟ ଯାଇ ପ୍ରଚାର ମଧ୍ୟ କରୁଛନ୍ତି। ଗତ ବର୍ଷ ଦେଶର ପାଞ୍ଚ ରାଜ୍ୟର ନିର୍ବାଚନରେ ପ୍ରିୟଙ୍କା ପାର୍ଟିର ପ୍ରଚାର ମଙ୍ଗ ସମ୍ଭାଳିଥିଲେ। ତେବେ ଏଥର ଉତ୍ତର ପ୍ରଦେଶ ସମେତ ଅନ୍ୟ ରାଜ୍ୟର ନିର୍ବାଚନ ପ୍ରଚାରରେ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା ଅଧିକ ଗୁରୁତ୍ଵପୂର୍ଣ୍ଣ ହେବାରେ ଲାଗିଛି। ସେ ପୂର୍ବାପେକ୍ଷା ଅଧିକ ସକ୍ରିୟ ରହିଛନ୍ତି। ଏହାର କାରଣ ପଞ୍ଜାବ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳର ମୁକାବିଲାରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ନବଜୋତ ସିଂହ ସିଦ୍ଧୁଙ୍କୁ  ପ୍ରଦେଶ ଅଧ୍ୟକ୍ଷ କରିବାରେ ମଧ୍ୟ ତାଙ୍କର ବଳିଷ୍ଠ ଭୂମିକା ରହିଥିଲା। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତଥା ବରିଷ୍ଠ ନେତା ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ହେଉ କିମ୍ଵା ପାର୍ଟିରେ ନେତାଙ୍କ ଅସନ୍ତୋଷ ହେଉ, ପାର୍ଟିକୁ ମୁସ୍କିଲ ସମୟରୁ ଉଦ୍ଧାର କରିବାରେ ପ୍ରିୟଙ୍କା ଗାନ୍ଧୀ ମୁଖ୍ୟ ଭୂମିକା ଗ୍ରହଣ କରି ଆସିଛନ୍ତି। ଉତ୍ତରାଖଣ୍ଡରେ ନିର୍ବାଚନ ପୂର୍ବରୁ ମଧ୍ୟ ଦଳରେ ଦଳୀୟ କନ୍ଦଳ ମୁଣ୍ଡ ଟେକିଥିଲା। ଏହି ବିବାଦକୁ ମଧ୍ୟ ସଫଳତାର ସହ ସମାଧାନ କରିଥିଲେ ପ୍ରିୟଙ୍କ ଗାନ୍ଧୀ। କଂଗ୍ରେସ ନେତାଙ୍କ କହିବା କଥା ପ୍ରିୟଙ୍କାଙ୍କ କାମ କରିବାର ଶୈଳୀ ନିଆରା ଏବଂ ସରଳ। ସେ ସମସ୍ତ କଥାକୁ ଧ୍ୟାନର ସହ ଶୁଣିଥାନ୍ତି ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାକୁ ଉଦ୍ୟମ କରିଥାନ୍ତି। ଯେବେ ମଧ୍ୟ କୌଣସି ରାଜ୍ୟରେ କୌଣସି ସଙ୍କଟ କିମ୍ବା ଦଳୀୟ କନ୍ଦଳ ଦେଖାଦିଏ, ପାର୍ଟି ନେତା ତାଙ୍କ ଉପରେ ପୂରା ଭରସା କରିଥାନ୍ତି। ଏହି ସବୁ କାରଣରୁ ପାର୍ଟିରେ ପ୍ରିୟଙ୍କାଙ୍କ ଚାହିଦା ବଢିବାରେ ଲାଗିଛି।

Leave A Reply

Your email address will not be published.