ପାର୍ଟି ଅଧ୍ୟକ୍ଷଙ୍କ ବିରୋଧରେ ବିଦ୍ରୋହ କଲେ ବିଜେପି ବିଧାୟକ

ଡେରାଡୁନ ୧୫।୦୨: ଉତ୍ତରାଖଣ୍ଡ ବିଜେପିରେ ଦଳ ଭିତରୁ ଶୁଣିବାକୁ ମିଳିଛି ବିଦ୍ରୋହର ସ୍ଵର। ରାଜ୍ୟର ଲକ୍ସରରୁ ବିଜେପି ବିଧାୟକ ସଞ୍ଜୟ ଗୁପ୍ତା ରାଜ୍ୟ ବିଜେପି ସଭାପତି ମଦନ କୌଶିକଙ୍କ ଉପରେ ଲଗାଇଛନ୍ତି ଗୁରୁତର ଅଭିଯୋଗ। ଏଥିସହ ମଦନ କୌଶିକଙ୍କୁ ଦଳରୁ ବାହାର କରାଯିବା ଉଚିତ୍ ବୋଲି ବିଧାୟକ ସଞ୍ଜୟ ଗୁପ୍ତା କହିଛନ୍ତି। ସଞ୍ଜୟ କହିଛନ୍ତି, ଉତ୍ତରାଖଣ୍ଡ ବିଜେପି ସଭାପୋତି କୌଶିକ ରାଜ୍ୟରେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି। ବିଜେପିର ଅନେକ ପ୍ରାର୍ଥୀଙ୍କୁ ବିଧାନସଭା ନିର୍ବାଚନରେ ହରାଇବା ପାଇଁ କାମ କରିଛନ୍ତି। ସେ ମୋ ବିରୋଧରେ ବିଏସପି ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି। ସେ ଜଣେ ଗଦ୍ଦାର। ବିଜେପି  ହାଇକମାଣ୍ଡ ତୁରନ୍ତ ମଦନ କୌଶିକଙ୍କୁ ଦଳରୁ ବାହାର କରନ୍ତୁ ବୋଲି ବିଧାୟକ ସଞ୍ଜୟ ଗୁପ୍ତା ଦାବି କରିଛନ୍ତି। ସୂଚନାଯୋଗ୍ୟ, ଫେବୃଆରୀ ୧୪ରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ମତଦାନ ସଂପନ୍ନ ହୋଇ ସାରିଛି। ନିର୍ବାଚନ ଆୟୋଗଙ୍କ ଅନୁସାରେ, ରାଜ୍ୟରେ ୬୫.୧ ପ୍ରତିଶତ ମତଦାନ ହୋଇଛି। ରାଜ୍ୟରେ ସବୁଠୁ ଅଧିକ ହରିଦ୍ଵାରରେ ୬୮.୩୭ ପ୍ରତିଶତ ଏବଂ ଅଲମୋଡା ଜିଲ୍ଲାରେ ସବୁଠୁ କମ ୫୦.୬୫ ପ୍ରତିଶତ ମତଦାନ ହୋଇଛି। ବିଜେପି ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବାକୁ ଚେଷ୍ଟା କରିଥିବା ବେଳେ କଂଗ୍ରେସ କ୍ଷମତାକକୁ ଫେରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରିଛି।

Leave A Reply

Your email address will not be published.