ଯୁଦ୍ଧ ମୁହାଣରେ ଦୁନିଆ

ଓ୍ଵାଶିଂଟନ ୧୫।୦୨:  ୟୁକ୍ରେନ ବିବାଦକୁ ନେଇ ସମଗ୍ର ବିଶ୍ଵ ବର୍ତ୍ତମାନ ଯୁଦ୍ଧର ଦ୍ଵାର ଦେଶରେ ପହଞ୍ଚି ସାରିଛି। କୌଣସି ମୁହୂର୍ତ୍ତରେ ରୁଷ ୟୁକ୍ରେନ ଉପରେ କରିପାରେ ଆକ୍ରମଣ। ୟୁକ୍ରେନ ସଂଲଗ୍ନ ସୀମାରେ ରୁଷ ୧.୩୦ ଲକ୍ଷ ସୈନିକ ମୁତୟନ କରି ସାରିଛି। ଆମେରିକା ମଧ୍ୟ ଚେତାବନୀ ଦେଇ ସାରିଛି ଯେ, ରୁଷ ଚଳିତ ସପ୍ତାହରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ। ସାଂପ୍ରତିକ ଉତ୍ତେଜନାମୂଳକ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ବିମାନ କମ୍ପାନୀ ୟୁକ୍ରେନ ରାଜଧାନୀ କିଓ୍ଵ ପାଇଁ ନିଜର ଉଡାଣ ରଦ୍ଦ କରିଛନ୍ତି। ଅନ୍ୟପଟେ ନାଟୋ ଦେଶ ରୁଷ ସହ ମୁକାବିଲା ପାଇଁ ପ୍ରସ୍ତୁତି ଜୋରସୋର କରିଛନ୍ତି। ରୁଷ ଦ୍ଵାରା ୟୁକ୍ରେନ ସୀମା ନିକଟରେ ଯୁଦ୍ଧାଭ୍ୟାସ୍ ସମୟରେ ବଡ଼ ବୋମା ଖସାଇବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ସୂଚନା ପରେ ଆମେରିକା ନିଜର ଚାରେଟି ବି-୫୨ ବମ୍ବର ଲଢୁଆ ବିମାନ ବ୍ରିଟେନରେ ମୁତୟନ କରିଛି। ଆଣବିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ସବୁ ବିମାନ ଭୂମଧ୍ୟ ସାଗରରେ ୟୁକ୍ରେନ ସୀମା ଆଖପାଖ ଆକାଶରେ ଚକ୍କର କାଟୁଛନ୍ତି। ଏହା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଏକ ଘଣ୍ଟା ଧରି ଆଲୋଚନା କରିଛନ୍ତି। ହ୍ଵାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ, ରୁଷର ଆକ୍ରମଣକୁ ରୋକିବା ପାଇଁ କୂଟନୈତିକ ଉପାୟ ବାହାର କରିବାକୁ  ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି। ୟୁକ୍ରେନ ସୀମାରେ ରୁଷର ଲକ୍ଷାଧିକ ସୈନିକ ମୁତୟନ  ହେବା ଦେଖି ଆମେରିକା ନିଜ ନାଗରିକଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ଆଦେଶ ଦେଇଛି। ତେବେ ପେଣ୍ଟାଗନର ମୁଖପାତ୍ର କହିଛନ୍ତି, ପୁଟିନ୍ ଆକ୍ରମଣ କରିବେ ଆମକୁ ସେମିତି ଲାଗୁନି। ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ନିଜର ଏକ ଫେସବୁକ ପୋଷ୍ଟରେ ରୁଷ କେବେ ୟୁକ୍ରେନ  ଉପରେ ଆକ୍ରମଣ କରିପାରେ ତାର ତାରିଖ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ରୁଷ ସମ୍ଭବତଃ ଫେବୃଆରୀ ୧୬ରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ। କିନ୍ତୁ ଆମେ ଏହି ଦିନକୁ ଏକତାର ଦିବସ ରୂପେ ପାଳନ କରିବୁ। ଜାତୀୟ ପତାକା ଉଡାଇବୁ ଏବଂ ଦୁନିଆକୁ ନିଜର ଏକତା ଦେଖାଇବୁ।

Leave A Reply

Your email address will not be published.