କପିଲ ଦେବଙ୍କ ରେକର୍ଡ ଭାଙ୍ଗିବେ ଅଶ୍ୱୀନ

ନୂଆଦିଲ୍ଲୀ, ୦୪/୦୩:  ଭାରତୀୟ ଟିମ୍ ମୋହାଲିରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ । ଏହା ହେବ ବିରାଟ କୋହଲିଙ୍କ ପାଇଁ ଶହେତମ ଟେଷ୍ଟ । ସେହିପରି ବୋଲର ଆର ଅଶ୍ୱୀନ ମଧ୍ୟ ଏକ ବଡ ରେକର୍ଡ ପ୍ରତିଷ୍ଠା କରିପାରନ୍ତି । ପୂର୍ବତନ ଭାରତୀୟ ଖେଳାଳି କପିଲ ଦେବଙ୍କୁ ପଛରେ ପକାଇବାର ସୁଯୋଗ ଅଶ୍ୱୀନଙ୍କ ପାଖରେ ରହିଛି । କପିଲଙ୍କୁ ପଛରେ ପକାଇବା ପାଇଁ ଅଶ୍ୱୀନଙ୍କୁ ଆଉ ୫ଟି ଓ୍ୱିକେଟ୍ ଦରକାର । କପିଲ ୧୩୧ଟି ମୁକାବିଲା ଖେଳି ୪୩୪ ଓ୍ୱିକେଟ୍ ହସାଲ କରିଥିଲେ । ଅଶ୍ୱୀନ ୮୪ଟି ମୁକାବିଲାରେ ୪୩୦ ଓ୍ୱିକେଟ୍ ନେଇଛନ୍ତି । ଏବେ କପିଲ ଦେବ ଭାରତୀୟ ଦଳର ସର୍ବାଧିକ ଓ୍ୱିକେଟ ହାସଲକାରୀ ତାଲିକାରେ ଦୁଇ ନମ୍ବରରେ ଅଛନ୍ତି । ପ୍ରଥମ ସ୍ଥାନରେ ଅନିଲ କୁମ୍ବଲେ ରହିଛନ୍ତି । କୁମ୍ବଲେ ମୋଟ ୧୩୨ ମ୍ୟାଚ୍ ଖେଳି ୬୧୯ ଓ୍ୱିକେଟ୍ ନେଇଛନ୍ତି । ଅଶ୍ୱୀନ ଆଉ ୫ ଓ୍ୱିକେଟ୍ ନେଲେ କପିଲ ଦେବଙ୍କୁ ପଛରେ ପକାଇଦେବେ । ସେ ୨୦୧୧ରୁ ଟେଷ୍ଟ୍ କ୍ରିକେଟରେ ପଦାର୍ପଣ କରିଥିଲେ । ଏପରିକି ସେ ୩୦ ଥର ଗୋଟିଏ ଇନିଂସରେ ୫ରୁ ଅଧିକ ଓ୍ୱିକେଟ୍ ନେଇଛନ୍ତି । ତେବେ ଗତ ଦକ୍ଷିଣ ଆଫ୍ରିକା ସିରିଜରେ ଅଶ୍ୱୀନଙ୍କ ପ୍ରଦର୍ଶନ ସେତେଟା ଖାସ୍ ନଥିଲା । ଶ୍ରୀଲଙ୍କା ବିପକ୍ଷରେ ସେ ଦମଦାର ପ୍ରଦର୍ଶନ କରିବେ ବୋଲି ଆସା କରାଯାଉଛି । ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ୱିକେଟ୍ ନେଇଥିବା ବୋଲର ତାଲିକାରେ ଅଶ୍ୱୀନ ଏବେ ୧୨ ନମ୍ବର ସ୍ଥାନରେ ଅଛନ୍ତି । ତାଙ୍କ ପାଖରେ ରିଚାର୍ଡ ହେଡଲୀ, ରଙ୍ଗନା ହେରାଥ ଓ ଡେଲ୍ ଷ୍ଟେନଙ୍କୁ ଅତିକ୍ରମ ପାଇଁ ସୁଯୋଗ ରହିଛି । ଭାରତୀୟ ପିଚରେ ଅଶ୍ୱୀନଙ୍କ  ଆଭରେଜ ୨୧ ଥିବା ବେଳେ ୪୯ ଟେଷ୍ଟ୍ ମୁକାବିଲାରେ ୩୦୦ ଓ୍ୱିକେଟ୍ ନେଇଛନ୍ତି ।

Leave A Reply

Your email address will not be published.