ଆଧୁନିକ ଓଡ଼ିଶାର ଗଠନ ଲାଗି ସାହସ ଓ ବିକାଶ ପାଇଁ ମନେ ରଖିଥିବ ଓଡ଼ିଶା

ଭୁବନେଶ୍ୱର ୦୫/୦୩: ବିଜୁ ପଟ୍ଟନାୟକ ଥିଲେ ଓଡ଼ିଶାର ଲୋକପ୍ରିୟ ରାଜନେତା ତଥା ବୈମାନିକ ଓ ଶିଳ୍ପପତି । କଟକ ସ୍ଥିତ ରେଭେନ୍ସା କଲିଜିଏଟ୍‌ ସ୍କୁଲରୁ ଶିକ୍ଷା ଶେଷ କରି ରେଭେନ୍ସା କଲେଜରେ ସେ ବିଜ୍ଞାନରେ ଅଧ୍ୟୟନ କରିଥିଲେ । ଖେଳ ପ୍ରତି ଥିଲା ତାଙ୍କର ପ୍ରବଳ ରୁଚି । ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ସେ ବିମାନ ଉଡ଼ାଣ ପାଠ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରୁ ଶିକ୍ଷା ସମାପ୍ତ କରି ଇଣ୍ଡିଆନ୍‌ ଏୟାରୱେଜ୍‌ରେ ପାଇଲଟ୍‌ ଭାବେ ଚାକିରି କରିଥିଲେ । ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଡଚ୍‌ମାନଙ୍କଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ଭୂମିପୁତ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା । ବିଜୁ ପଟ୍ଟନାୟକ ଚଳାଉଥିବା ଡାକୋଟା ବିମାନ ଆଜି ବି ତାଙ୍କ ପରାକାଷ୍ଠାର ସ୍ମୃତି ବହନ କରେ ।୧୯୯୦, ମାର୍ଚ୍ଚ ୫ ତାରିଖରୁ ୧୯୯୫, ମାର୍ଚ୍ଚ ୧୫ ତାରିଖ ଯାଏଁ ଏବଂ ୧୯୬୧ ଜୁନ୍‌ ୨୩ ତାରିଖରୁ ୧୯୬୩, ଅକ୍ଟୋବର ୨ ତାରିଖ ଯାଏ ସେ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ରାଜନୈତିକ ଦୃଷ୍ଟିକୋଣ ମୁଖ୍ୟତଃ ସମାଜବାଦ ଏବଂ ସଂଘୀୟ ରାଷ୍ଟ୍ର ଶାସନ ଉପରେ ଦୃଢ଼ୀଭୁତ ଥିଲା ।ବିଜୁ ପଟ୍ଟନାୟକଙ୍କ ପ୍ରଦତ୍ତ ଧନରାଶିର ସୁଧରୁ ଲବ୍ଧ ଅର୍ଥକୁ ୟୁନେସ୍କୋ ଦ୍ୱାରା କଳିଙ୍ଗ ପୁରସ୍କାର ଭାବେ ପ୍ରଦାନ କରାଯାଏ । ରାଜ୍ୟର ପ୍ରଗତି ପାଇଁ ତାଙ୍କ ଉଦ୍ୟମରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନ (ଭୁବନେଶ୍ୱର), ଆଞ୍ଚଳିକ ଗବେଷଣା କେନ୍ଦ୍ର (ଭୁବନେଶ୍ୱର), ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ, ତାଳଚେର ଥର୍ମାଲ ପ୍ରକଳ୍ପ, ନାଲ୍‌କୋ ପ୍ରକଳ୍ପ, ସ୍ରେନିକ ସ୍କୁଲ ଭୁବନେଶ୍ୱର, ପାରାଦ୍ୱୀପ ବନ୍ଦର ଓ ଆହୁରି ଅନେକ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା ।

Leave A Reply

Your email address will not be published.