ବିଭିନ୍ନ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ଘଟଣା, ସ୍ୱାମୀ-ସ୍ତ୍ରୀଙ୍କୁ ବାନ୍ଧିଲା ପୋଲିସ

ପୁରୀ ୦୮।୦୩ : ବିଭିନ୍ନ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି ଅଭିଯୋଗରେ ସ୍ବାମୀ-ସ୍ତ୍ରୀ ଗିରଫ । ନିମାପଡା ଥାନା ପାଟପୁର ଅଞ୍ଚଳର ପ୍ରଫୁଲ ମିଶ୍ର ଓ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରିଛି ଚନ୍ଦନପୁର ଥାନା ପୋଲିସ । ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏମାନଙ୍କ ଠାରୁ ୧୦ଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରିଛି। ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଚନ୍ଦନପୁର ଥାନା ଅଞ୍ଚଳରେ ବିଭିନ୍ନ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରୁଥିଲେ । ଜାନୁଆରୀ ୯ ତାରିଖ ବିଳମ୍ୱିତ ରାତିରେ ଚନ୍ଦନପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁର ନୃସିଂହ ମନ୍ଦିରରୁ ୭୦ କେଜିର ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଲୁଟେରା ମାନେ ଲୁଟି ନେଇଥିଲେ। ଆଉ ଏହାର କିଛି ଦିନ ପରେ ପୁଣି ଥରେ ଜାନୁଆରୀ ୨୯ ତାରିଖ ବିଳମ୍ୱିତ ରାତିରେ ଗଡମୃଗଶୀରା ଗାଁର ବଟେଶ୍ୱର ମନ୍ଦିରରୁ ୪୫ କେଜିର ଶିବ ଓ ପାର୍ବତୀଙ୍କ ଅଷ୍ଟଧାତୁ ମୂର୍ତ୍ତିକୁ ମଧ୍ୟ ଲୁଟି ନେଇଥିଲେ। ଏନେଇ ଗ୍ରାମବାସୀ ମାନେ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନଥିଲା। ଶେଷରେ ମଙ୍ଗଳବାର ଦିନ ଚନ୍ଦନପୁର ଥାନା ପୋଲିସ ଏହି ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ପୋଲିସ ଗିରଫ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଜଗନ୍ନାଥ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.