ପାଖେଇ ଆସୁଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

ପୁରୀ ୧୬।୦୪: ପାଖେଇ ଆସୁଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ।  ଆସନ୍ତା ମେ ୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ଠାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ବା ଜଳକ୍ରୀଡା ଆରମ୍ଭ ହେବ। ସେଥିଲାଗି ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ଖବର ଅନୁଯାୟୀ, ନରେନ୍ଦ୍ର ସରବୋରରେ ନନ୍ଦା ଓ‌ ଭଦ୍ରା ଚାପରେ ନୌକା ବିହାର କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ସହ ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚ ପାଣ୍ଡବ। ଏଥିପାଇଁ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଭୋଇ ସେବାୟତମାନେ ନରେନ୍ଦ୍ର ସରବୋରରୁ ଡଙ୍ଗା କାଢିଛନ୍ତି । ନନ୍ଦା ଓ ଭଦ୍ରା ଚାପରେ ବ୍ୟବହୃତ ଚାରୋଟି ଡଙ୍ଗା ସହ ବୈଜୟନ୍ତରୀ ଡଙ୍ଗାକୁ ମିଶାଇ ମୋଟ ପାଞ୍ଚୋଟି ଡଙ୍ଗା କଢାଯାଇଛି। ଏହି ଡଙ୍ଗା ଗୁଡିକ ଶୁଖାଯିବା ସହ ଏହାର ଆବଶ୍ୟକୀୟ ମରାମତି କରାଯିବ। ଗତବର୍ଷ ଚନ୍ଦନ ଯାତ୍ରା ସରିବା ପରେ ଏହି ଡଙ୍ଗା ଗୁଡିକ ବୁଡାଇ ରଖାଯାଇଥିବା ବେଳେ ଶନିବାର ସକାଳୁ ୩୦ ଜଣ ଭୋଇ ସେବାୟତ ଅକ୍ଳାନ୍ତ ପରିଶ୍ରମ କରି ପାଞ୍ଚୋଟି ଡଙ୍ଗାକୁ କାଢିଛନ୍ତି। ସେପଟେ ରଥନିର୍ମାଣ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥଖଳା ବା ମହାଖଳା ନିର୍ମାଣ ଚାଲିଥିବା କହିଛନ୍ତି ବରିଷ୍ଠ ରଥ ତତ୍ତ୍ବାବଧାରକ। କରୋନା ମହାମାରୀ ଯୋଗୁ ଗତ ଦୁଇବର୍ଷ ଧରି ବିନା ଭକ୍ତରେ ମହାପ୍ରଭୁଙ୍କ ସମସ୍ତ ଯାନି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଭକ୍ତ ଙ୍କ ଗହଣରେ ମହାପ୍ରଭୁଙ୍କ ଚାପ ଖେଳ ଅନୁଷ୍ଠିତ ହେବାକୁ ଥିବାରୁ ସମସ୍ତ ଙ୍କ ମନରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି।

Leave A Reply

Your email address will not be published.