ଗୁଜରାଟ ନିର୍ବାଚନ ପୂର୍ବରୁ ୧୩ ଜିଲ୍ଲାର ୧୫୦ରୁ ଅଧିକ ସ୍ଥାନରେ ଏଟିଏସର ଚଢଉ, ୬୫ ଗିରଫ

ଗାନ୍ଧୀନଗର: ଗୁଜରାଟରେ ନିର୍ବାଚନୀ ଉଷ୍ମତା ଭିତରେ ଆଣ୍ଟି ଟେରରିଜିମ ସ୍କ୍ୱାର୍ଡ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟର ୧୩ ଜିଲ୍ଲାର ୧୫୦ରୁ ଅଧିକ ସ୍ଥାନରେ ଏସଟିଏସ ଚଢଉ କରିଛି । ଖବର ଅନୁସାରେ ଶୁକ୍ରବାର ବିଳମ୍ୱିତ ରାତିରୁ ଏହି ଚଢଉ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୬୫ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂତ୍ର ଅନୁସାରେ, ଗୁଜରାଟ ଏଟିଏସ, ଜିଏସଟି ବିଭାଗ ମିଳିତ ଭାବେ ଏହି ଚଢଉ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସୁରଟ, ଅହମଦାବାଦ, ଜାମନଗର, ଧରୁଚ ଏବଂ ଭାଭନଗର ପରି ଜିଲ୍ଲାରେ ଶହେରୁ ଅଧିକ ଠିକଣାରେ ଚଢଉ କରାଯାଇଛି । ଅନ୍ତରାଷ୍ଟ୍ରୀୟ ମାର୍ଗରୁ ଟ୍ୟାକ୍ସ ଚୋରି ଏବଂ କଳା ଧନ ଦେଣନେଣକୁ ନେଇ ଏହି ଚଢଉ କରାଯାଇଛି । ଯାଞ୍ଚରେ ଜଣାପଡିଛି ଯେ, ସାଜିଦ ଏବଂ ଶହଜାଦ ନାମକ ଦୁଇ ଜଣ ବ୍ୟକ୍ତି କଥିତ ରୂପେ ରାଜ୍ୟରେ ଜିଏସଟି ଚୋରିର ଏକ ବଡ଼ ରାକେଟ ଚଲାଉଥିଲେ। ଏହି ମାମଲା କୋଟି କୋଟି ଟଙ୍କାର ଜିଏସଟି ଚୋରି ସହ ଜଡ଼ିତ ଥିବା କୁହାଯାଉଛି । ତେବେ ଗିରଫ ବ୍ୟକ୍ତିଙ୍କ ସମ୍ପର୍କ ପିଏଫଆଇ ସହ ଥିବା ନେଇ ଆଶଂକା ପ୍ରକାଶ କରାଯାଉଛି । ଏହି ଦୁହିଁଙ୍କ ଉପରେ ଜିଏସଟି ଏବଂ ଏଟିଏସ ଦୀର୍ଘ ଦିନରୁ ନଜର ରଖିଥିଲା ।

Leave A Reply

Your email address will not be published.