୧୭ ବର୍ଷ ପରେ ମିଳିଲା ନ୍ୟାୟ, ସାତ ଦିନ ମଧ୍ୟରେ ମୃତକଙ୍କ ପରିବାରକୁ ରାଜ୍ୟସରକାର ଦେଲେ ୫୦ ଲକ୍ଷର କ୍ଷତିପୂରଣ

ସାଲେପୁର: ପୋଲିସ ଗୁଳିରେ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ମୃତ୍ୟୁ ଘଟଣାରେ ୧୭ବର୍ଷପରେ ପରିବାରକୁ ମିଳିଲା ନ୍ୟାୟ। ମୃତକଙ୍କ ପରିବାର ବର୍ଗକୁ ୭ଦିନ ଭିତରେ ୫୦ଲକ୍ଷଟଙ୍କା ଅନୁକମ୍ପା ସହାୟତା ଦେବାକୁ ରାଜ୍ୟସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟର ନିର୍ଦ୍ଦେଶ ପରେ ଆଜି ଜଗସିଂହପୁର ଡିଏସପି ସରୋଜିନୀ ସିଂହ ମୃତ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ମା ନିଗାର ବେଗମଙ୍କୁ କଟକ ଜିଲ୍ଲା ସାଲେପୁରଥାନା ରାଇସୁଙ୍ଗୁଡା ପଂଚାୟତ ଧୂଆଁସାହି ଗ୍ରାମରେ ତାଙ୍କ ବାସଭବନରେ ପହଞ୍ଚି ୫୦ଲକ୍ଷଟଙ୍କାର ଚେକ ପ୍ରଦାନ କରିଛନ୍ତି। ସୂଚନାମୁତାବକ ୨୦୦୫ ମସିହାରେ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲି ଚଣ୍ଡୀଖୋଲ ପାରାଦ୍ୱୀପ ପୋର୍ଟ ଷ୍ଟ୍ରଷ୍ଟ ରାସ୍ତା ପ୍ରକଳ୍ପରେ ହିନ୍ଦୁସ୍ତାନ କନଷ୍ଟ୍ରକ୍ସନ କମ୍ପାନୀ ଅଧୀନରେ ଇଂଜିନିୟର ଭାବେ କାମ କରୁଥିଲେ। ୨୦୦୫ ମସିହା ନଭେମ୍ବର୨୮ ତାରିଖ ରାତିରେ ଏହି କମ୍ପାନୀର ଜେନସେଟ ଅପରେଟରକୁ ପୋଲିସ ଉଠାଇନେଇଥିଲା। ଏହାର କାରଣ ଜାଣିବା ପାଇଁ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ସହ ଅନ୍ୟମାନେ ଚକ୍ରଧରପୁର ପୋଲିସ ଆଉଟ ପୋଷ୍ଟକୁ ଯାଇଥିଲେ। ତତ୍କାଳୀନ ଇନଚାର୍ଜ ମୁରଲୀଧର ସାହୁ ଗୁଳିଚଳାଇଥିଲେ। ଏଥିରେ କଟକ ଜିଲ୍ଲା ସାଲେପୁରଥାନା ରାଇସୁଙ୍ଗୁଡା ପଂଚାୟତ ଧୂଆଁସାହି ଗ୍ରାମର ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ପରିବାର ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। ଏହା ଭିତରେ ୧୭ବର୍ଷ ପରେ ହାଇକୋର୍ଟ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ପରିବାରକୁ ୫୦ଲକ୍ଷଟଙ୍କା ୭ଦିନ ଭିତରେ କ୍ଷ୍ୟତିପୂରଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ତାଙ୍କ ବାସଭବନରେ ଜଗସିଂହପୁର ଡିଏସପି ସରୋଜିନୀ ସିଂହ ପହଂଚି ପରିବାରବର୍ଗକୁ ୫୦ଲକ୍ଷଟଙ୍କାର ଚେକ ପ୍ରଦାନ କରିଛନ୍ତି। ଏ ନେଇ ପରିବାରବର୍ଗ ମାନ୍ୟବାର ହାଇକୋର୍ଟକୁ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.